ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ
ବିବାଦ ସତ୍ତ୍ୱେ ଜିଦରେ ଅଟଳ ଇସ୍କନ
ଓଏଲ୍ ବ୍ୟୁରୋ: ଏତେ ବିବାଦ ସତ୍ବେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ ।
ସୂଚନା ଅନୁସାରେ, ପ୍ରଥମେ ଅଦିନରେ ରଥଯାତ୍ରା ନ କରିବାକୁ ଇସ୍କନକୁ କହିଥିଲେ ପୁରୀ ଗଜପତି ମହାରାଜା । ଏହା ପରେ ମଧ୍ୟ ଇସ୍କନ ନମାନି ସ୍ନାନ ପୂର୍ଣ୍ଣମୀ କରିଥିଲା । ତେଣୁ କିଛି ଦିନ ତଳେ ପୁଣି ଥରେ ରଥଯାତ୍ରା ବନ୍ଦ କରିବାକୁ କହିବା ସହ ଯଦି ବନ୍ଦ ନ କରନ୍ତି ତେବେ ଆଇନର ଦ୍ଵାରସ୍ତ ହେବୁ ବୋଲି କହିଥିଲେ ଗଜପତି । ଶେଷରେ ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଥିଲା ଇସ୍କନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ପ୍ରେସ ବିବୃତି ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଆଜି ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଭକ୍ତ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛନ୍ତି।