ଲଷ୍ମୀ ନାରାୟଣ ବେଶରେ ମହାପ୍ରଭୁ, ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ
ଓଏଲ୍ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଆଜିଠାରୁ କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଛି। ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବ୍ରତର ପ୍ରଥମ ଦିନରେ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି। ଏହି ବେଶରେ ଦର୍ଶନ କଲେ ଅଶେଷ ପୂର୍ଣ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଆଜି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଅଛି।
ସେହିପରି ଆସନ୍ତାକାଲି ବୁଧବାର ମହାପ୍ରଭୁ ବାଙ୍କଚୁଡା ବେଶ, ଗୁରୁବାର ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜିତ କରାଯିବ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ସ୍ୱତନ୍ତ୍ର ବ୍ୟାରିକେଡ଼ ନିର୍ମାଣ ହୋଇଥିବା ବେଳେ ଲୋକମାନେ ବ୍ୟାରିକେଡ଼ ମଧ୍ୟରେ ଯାଇ ସିଂହଦ୍ୱାର ବାଟେ ପ୍ରବେଶ କରୁଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩୦ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ମୁତୟନ କରାଯାଇଛି।