ଜାରି ହେଲା ଏସ୍ଓପି, ଡ୍ୟୁଟିରେ ଥିଲେ ଗିରଫ ହେବେନି ସେନା କର୍ମଚାରୀ
ଓଏଲ୍ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏସବୁ ଭିତରେ ବଡ ଖବର ସାମ୍ନାକୁ ଆସିଛି। ହାଇକୋର୍ଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲା ଚାଲିଥିବାବେଳେ ସରକାର ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି। ଥାନାରେ ସେନା ଅଧିକାରୀଙ୍କୁ ଉଚିତ ବ୍ୟବହାର କରିବାକୁ ତାଗିଦ। ଏହା ସହ ବିନା ଅନୁମତିରେ ସେନା କର୍ମଚାରୀଙ୍କୁ ଗିରଫ କରାଯିବନି। ସେନା କର୍ମଚାରୀଙ୍କ ସହ ପୁଲିସର ବ୍ୟବହାର ନେଇ ଆସିଲା ଏସ୍ଓପି।
ଜାରି ହୋଇଥିବା ଏସ୍ଓପି ଅନୁସାରେ, ସେନା କର୍ମଚାରୀ ଥାନାରେ ଅଭିଯୋଗ କଲେ ତୁରନ୍ତ ତା’ ଉପରେ ଆକ୍ସନ ହେବ।ଅଭିଯୋଗକୁ ଗୁରୁତର ସହ ନେଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। କୌଣସି ସଙ୍ଗିନ ଅପରାଧ ନେଇ ମୌଖିକ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯିବ। ନିଜେ ପୁଲିସ ଅଧିକାରୀ ଏତଲା ଲେଖି ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ।
ଆର୍ମି, ନେଭି ଓ ଏୟାରଫୋର୍ସ କର୍ମଚାରୀ ଡ୍ୟୁଟିରେ ଥିଲେ ତାଙ୍କୁ ଗିରଫ କରାଯିବନି। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସେମାନଙ୍କୁ ଗିରଫ କରିପାରିବନି। ସେନା କର୍ମଚାରୀଙ୍କୁ ଗିରଫ ପାଇଁ ପାଖ ଷ୍ଟେସନ କମାଣ୍ଡରଙ୍କ ଅନୁମତି ଆବଶ୍ୟକ। ଅନୁମତି ନ ମିଳିଲେ ସେନା କର୍ମଚାରୀଙ୍କୁ ସେନା ପୁଲିସକୁ ହସ୍ତାନ୍ତର କରିବ ପୁଲିସ। ସେନା କର୍ମଚାରୀଙ୍କୁ ଗିରଫ ବେଳେ ପୁଲିସ ହାତକଡ଼ି ପକାଇବ ନାହିଁ। ସେମାନଙ୍କ ଶରୀରକୁ କ୍ଷତ ପହଞ୍ଚାଇବା ଭଳି ପୁଲିସ କୌଣସି ପଦକ୍ଷେପ ନେବନି ବୋଲି ଏସ୍ଓପିରେ ଉଲ୍ଲେଖ ହୋଇଛି।