ଆଜି ବଡ଼ଓଷା: ବଡ଼ସିଂହାର ବେଶ ଦେଖିବାକୁ ଧବଳେଶ୍ବର ପୀଠରେ ପ୍ରବଳ ଭିଡ଼
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ବଡ଼ଓଷାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଲୋକାରଣ୍ୟ ହୋଇଛି ପୀଠ। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।
ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଆଜି ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ତାହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିତରଣ କରାଯିବ।
ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଥାନ୍ତି।