‘ସଂଶୋଧନ କରନ୍ତୁ ତ୍ରୁଟି, ମିଳିବ ସୁଭଦ୍ରା ଟଙ୍କା’
ଓଏଲ୍ ବ୍ୟୁରୋ: ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍ ପାଇଁ ପରାମର୍ଶ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ। ଯାହାର ଦୁଇ ତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ। ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା। କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍। ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।