ରଣଜୀ ଟ୍ରଫି: ଆଜିଠୁ ବାରବାଟୀରେ ଓଡ଼ିଶା-ମହାରାଷ୍ଟ୍ର ମୁକାବିଲା
ଓଏଲ୍ ବ୍ୟୁରୋ: ଚଳିତ ରଣଜୀ ସିଜିନରେ ବିଜୟର ସ୍ବାଦ ଚାଖିନଥିବା ଓଡ଼ିଶା କ୍ରିକେଟ ଦଳ ଆଜି ମହାରାଷ୍ଟ୍ର ବିପକ୍ଷରେ ଓହ୍ଲାଇବ। ୪ଟି ମ୍ୟାଚ୍ ଖେଳି ମାତ୍ର ୪ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି।
ଜମ୍ମୁ କଶ୍ମୀର ବିପକ୍ଷ ମ୍ୟାଚ୍ରେ ଯେଉଁଭଳି ପିଚ୍ ଥିଲା, ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ ପାଇଁ ମଧ୍ୟ ସମାନ ଧରଣର ପିଚ୍ ରଖାଯାଇଛି। ତେଣୁ ଦିନର ପ୍ରଥମ ଭାଗଗୁଡ଼ିକରେ ରୋମାଞ୍ଚ ଦେଖିବାକୁ ମିଳିବ। କିନ୍ତୁ ପରବର୍ତ୍ତୀ ସମୟରେ ବୋଲର୍ଙ୍କୁ ଅନେକ ଝାଳ ବୁହାଇବାକୁ ପଡ଼ିପାରେ। ତେଣୁ ପ୍ରାରମ୍ଭିକ ସଫଳତା ପାଇବା ପାଇଁ ଓଡ଼ିଶା ଏହି ମ୍ୟାଚ୍ରେ ୪ ଦ୍ରୁତ ବୋଲର୍ଙ୍କୁ ନେଇ ଖେଳିବାକୁ ଯୋଜନା ରଖିଛି।
ଲଗାତାର ଦୁଇଟି ମ୍ୟାଚ୍ରେ ପରାଜିତ ହୋଇଥିବାରୁ ଓଡ଼ିଶା ଖେଳାଳିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି। ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଏବେ ପଏଣ୍ଟ ପାଇଁ ଭୋକିଲା ଅଛି। ଚଳିତ ରଣଜୀ ସିଜିିନରେ ଓଡ଼ିଶା ଦଳ ପ୍ରଥମ ମୁକାବିଲାରେ ତ୍ରିପୁରାକୁ ଭେଟିଥିଲା। ବର୍ଷା କାରଣରୁ ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ି ପାରନଥିଲା। ଯାହାଫଳରେ ଉଭୟ ଦଳକୁ ସମାନ ଭାବେ ପଏଣ୍ଟ ପଏଣ୍ଟ ବାଣ୍ଟି ଦିଆଯାଇଥିଲା। ତାପର ମ୍ୟାଚରେ ଜମ୍ମୁକଶ୍ମୀରକୁ ଭେଟିଥିଲା ଓଡ଼ିଶା। ସେହିମ୍ୟାଚ୍ ଡ୍ର’ରେ ସମାପ୍ତ ହୋଇଥିଲା।
ପରେ ବରୋଦା ବିପକ୍ଷ ମ୍ୟାଚରେ ଏକ ଇନିଂସ୍ ୯୮ ରନରେ ପରାସ୍ତ ହୋଇଥିଲା ଓଡ଼ିଶା ଦଳ। ସେହିପରି ମୁମ୍ବାଇ ନିକଟରୁ ମଧ୍ୟ ଏକ ଇନିଂସ୍ ଓ ୧୦୩ ରନ୍ରେ ପରାସ୍ତ ହୋଇଥିଲା ଓଡ଼ିଶା ଦଳ।