ବେଦାନ୍ତ ଜମି ପ୍ରସଙ୍ଗ: ଲୋକେ ଫେରିପାଇବେ ଜମି, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଓଏଲ୍ ବ୍ୟୁରୋ: ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ, ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ପୁରୀରେ ଜମି ଯୋଗାଇଥିଲେ ତତ୍କାଳୀନ ସରକାର। ହେଲେ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା। ଏପରିକି ଜମି ଅଧିଗ୍ରହଣ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ଜମି ଫେରସ୍ତ ପାଇଁ ରାୟ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବିଶ୍ବବିଦ୍ୟାଳୟ ନ ହେବାରୁ ଜମି ଫେରସ୍ତ ଦିଆଯିବ।ଯାହାଫଳରେ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।
ସେ ଆହୁରି କହିଛନ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୬୯୨.୦୨ ସରକାରୀ ଜମି ଲିଜ୍ ସାଙ୍କସନ ହୋଇଥିଲା। ସେହିଭଳି ୩୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏନେଇ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ଲୋକଙ୍କୁ ସେମାନଙ୍କ ଜମି ମିଳିବ। ଲୋକ ତାକୁ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।