ଏଲନ୍ ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀଙ୍କୁ ଗୁରୁ ଦାୟିତ୍ୱ
ଓଏଲ୍ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଭାବେ ୨୦୨୫ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ଡ୍ରୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍ ଗଠନ କରିବାରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ଏସବୁ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିସାରିଲେଣି ଟ୍ରମ୍ପ। ନିଜ କ୍ୟାବିନେଟରେ ଟେସ୍ଲାର ମାଲିକ ଏଲନ୍ ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀଙ୍କୁୁ ଗୁରୁ ଦାଇତ୍ବ ଦେଇଛନ୍ତି ଟ୍ରମ୍ପ। ସରକାରୀ କାର୍ଯ୍ୟ ଦକ୍ଷତା ବିଭାଗ (DoGE)ର ଗୁରୁ ଦାୟିତ୍ବ ଏଲନ୍ ମସ୍କ ଓ ବିବେକ ରାମସ୍ବାମୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ଟ୍ରମ୍ପ।
ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର “ସେଭ୍ ଆମେରିକା ଆନ୍ଦୋଳନ” ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି। ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ ନିୟନ୍ତ୍ରରେ ରଖିବା ଏବଂ ଫେଡେରାଲ୍ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା। କହିବାକୁ ଗଲେ ଅଫିସର ରାଜ୍ ଶେଷ କରିବା ଲକ୍ଷ୍ୟରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଅଭିନବ ତଥା ପ୍ରଭାବଶାଳୀ ଚିନ୍ତାଧାରା ପାଇଁ ଜଣାଶୁଣା ଏଲନ୍ ମସ୍କ ଏହି ବିଭାଗରେ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ଉପରେ କାର୍ଯ୍ୟ କରିବେ। ଯାହାଦ୍ୱାର ସରକାରୀ ସେବାଗୁଡିକ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ସେହିପରି ବିବେକ ରାମସ୍ୱାମୀ ସ୍ୱଚ୍ଛ ଚିନ୍ତାଧାରା ଏବଂ ବ୍ୟବସାୟିକ ଦକ୍ଷତା ପାଇଁ ଜଣାଶୁଣା। ବିବେକ ସରକାରୀ ଖର୍ଚ୍ଚ କାଟ୍ ଏବଂ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ ଉପରେ ଧ୍ୟାନ ଦେବେ।
ତେବେ ତାଙ୍କ ନିଯୁକ୍ତିକୁ ନେଇ ଉତ୍ସାହ ପ୍ରକାଶ କରି ଏଲନ୍ ମସ୍କ ଆମେରିକାର ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ DoGE କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ବିବେକ ରାମସ୍ୱାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏହି ଦାୟିତ୍ୱକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବେ। ଏଲନ୍ ମସ୍କଙ୍କ ସହ ମିଶି ସେ ଏହି ବିଭାଗକୁ ପ୍ରଭାବଶାଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।