ଦିନେ ଟ୍ରମ୍ପଙ୍କୁ ଦେଉଥିଲେ କଡ଼ା ଟକ୍କର, ଏବେ ଟ୍ରମ୍ପଙ୍କ ପସନ୍ଦ ବିବେକ
ଓଏଲ୍ ବ୍ୟୁରୋ: ଆକ୍ସନ ମୁଡରେ ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍ ଗଠନରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ସେ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ସ୍ଥାନ ଦେଇଛନ୍ତି। ବିବେକ ଏବଂ ଏଲନ୍ ମସ୍କଙ୍କ ଉପରେ ସରକାରୀ କାର୍ଯ୍ୟ ଦକ୍ଷତା ବିଭାଗ (DoGE)ର ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି ଟ୍ରମ୍ପ।
ସବୁଠୁ ବଡ଼କଥା ହେଲା ରାଷ୍ଟପ୍ରତି ନିର୍ବାଚନ ବର୍ଷକ ପୂର୍ବରୁ ନିଜକୁ ରିପବ୍ଲିକନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ନିଜକୁ ଦାବି କରୁଥିଲେ ବିବେକ ରାମାସ୍ବାମୀ। ହେଲେ ହଠାତ୍ ରାଷ୍ଟ୍ରପତି ଦୌଡ଼ରୁ ହଟିଯାଇଥିଲେ ବିବେକ। ଆଉ ଡୋନାଲ୍ଡ ଟ୍ରମ୍ପଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଘୋଷଣା କରିଥିଲେ। ସେବେଠୁ ଟ୍ରମ୍ପଙ୍କ ବିଶ୍ବସ୍ତ ହୋଇଛନ୍ତି ବିବେକ ରାମାସ୍ବାମୀ।
ଟ୍ରମ୍ପଙ୍କ ଚିନ୍ତାଧାରା ସହିତ ବିବେକଙ୍କ ଚିନ୍ତାଧାରା ପ୍ରାୟ ସମାନ। ବିବେକ ଟ୍ରମ୍ପଙ୍କ ଭଳି ସବୁ ନିଷ୍ପତ୍ତି ନିଅନ୍ତି। ଏଭଳିକି ବିବେକଙ୍କୁ ଆମେରିକାର ଦେଶଭକ୍ତ ବୋଲି କହିଛନ୍ତି ଟ୍ରମ୍ପ। ବିବେକ ରାମସ୍ୱାମୀ ସ୍ୱଚ୍ଛ ଚିନ୍ତାଧାରା ଏବଂ ବ୍ୟବସାୟିକ ଦକ୍ଷତା ପାଇଁ ଜଣାଶୁଣା। ବିବେକ ସରକାରୀ ଖର୍ଚ୍ଚ କାଟ୍ ଏବଂ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ ଉପରେ ଧ୍ୟାନ ଦେବେ।
ସବୁଠୁ ବଡ଼କଥା ହେଲା ବିବେକ ରାମାସ୍ବାମୀ ନିଜର ଧର୍ମ ପାଇଁ ସବୁବେଳେ ଆମେରିକା ରାଜନୀତିରେ ଚର୍ଚ୍ଚାରେ ରୁହନ୍ତି। ନିର୍ବାଚନର ବହୁ ପୂର୍ବରୁ ବିବେକଙ୍କୁ ନକଲି ହିନ୍ଦୁ ବୋଲି କିଛି ଲୋକ କହିଥିଲେ। ହେଲେ ଏହାର ପାଲଟା ଜବାବ ଦେଇ ଚର୍ଚ୍ଚାକୁ ଆସିଥିଲେ ବିବେକ। ସେ କହିଥିଲେ ମୁଁ ହିନ୍ଦୁ, ମୋ ଧର୍ମକୁ ନେଇ ଗର୍ବ ଅନୁଭବ କରେ। ମୋ ଧର୍ମକୁ ରକ୍ଷା କରିବା ମୋର ବଡ଼ କର୍ତ୍ତବ୍ୟ। ମୁଁ କୌଣସି ନକଲି ହିନ୍ଦୁ ନୁହେଁ। ନାକି ମୁଁ କୌଣସି ଧର୍ମ ବଦଳେଇଛି ବୋଲି ବିବେକ କହିଥିଲେ।