Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରୁ ଆସିନି କୌଣସି ନୋଟିସ୍: ଜୟନାରାୟଣ ମିଶ୍ର

ଓଏଲ୍‌ ବ୍ୟୁରୋ: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ମାଗିଥିଲେ। ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ। ଏହାକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ଆଗୁଆ ଜାମିନ ଆବେଦନ ଖାରଜ ଖବର ପ୍ରକାଶ ପାଇବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ସୁପ୍ରିମକୋର୍ଟରୁ ମତେ କୌଣସି ନୋଟିସ ଆସିନି। ମୋ ନାଁରେ ୭୨ ମାମଲା ଅଛି। ବିଜେଡି ମୋ ନାଁରେ ଅନେକ ମାମଲା ଅଛି। ସୁପ୍ରିମ କୋର୍ଟରୁ ନୋଟିସ ଆସିଲେ ମୁଁ ପରବର୍ତୀ ପଦକ୍ଷେପ ନେବି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସୂଚନା ଅନୁସାରେ, ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁରରେ ଘଟଣା ଘଟିଥିଲା। ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଧନୁପାଲି ଆଇଆଇସିଙ୍କୁ ଜୟ ନାରାୟଣ ମିଶ୍ର ଧକ୍କା ଓ ମାଡ଼ ମାରିଥିବା ଅଭିଯୋଗ ଆସିଥିବା ବେଳେ ଧନୁପାଲି ଥାନାଧିକାରୀ ଜୟନାରାୟଣଙ୍କୁ ଧକ୍କା ମାରିଥିବା ପ୍ରତି ଅଭିଯୋଗ ହୋଇଥିଲା।

ଜୟନାରାୟଣ ଏହି ଘଟଣା ନେଇ କହିଥିଲେ ଯେ, ସେ ପ୍ରତିବାଦ ସଭାରେ ମତ ରଖି ସାରିବା ବେଳେ ଏକ ଚେୟାରରେ ବସିଥିଲେ। ଏହି ସମୟରେ ମହିଳା କର୍ମୀମାନଙ୍କୁ ପୁଲିସ ଧକ୍କା ମାରୁଥିବା ଖବର ପାଇଥିଲେ। ତେଣୁ ଚେୟାରରୁ ଉଠି ଘଟଣା ବୁଝିବାକୁ ପୁଲିସ ସାମ୍ନାକୁ ଯିବା ବେଳେ ଏହି ଥାନା ଅଧିକାରୀ ମୋର ଗୋଡ଼କୁ ଚକଟି ଦେଇ ବ୍ୟାରିକେଟିଂ ପାଇଁ ବନ୍ଧା ହୋଇଥିବା ରଶି ପାର ହୋଇଥିଲେ ଓ ପରେ ମୋତେ ଧକ୍କା ମାରିଥିଲେ।

ଧକ୍କା ଖାଇବା ପରେ ରାଗରେ ତୁ’ କିଏ ବୋଲି ପଚାରିଥିଲି। ସେ ଧନୁପାଲି ଆଇଆଇସି ବୋଲି କହିଥିଲେ। ଏହି ଘଟଣା ସମୟରେ ଭିଡିଓ ସମସ୍ତଙ୍କ ପାଖରେ ରହିଛି। ପୁଲିସ ଜଣେ ଜନପ୍ରତିନିଧିଙ୍କ ଉପରକୁ ହାତ ଉଠାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ମାଡ଼ ମାରିବା ପଛରେ କିଏ ରହିଛି, ତାହା ସମସ୍ତଙ୍କ ଜାଣିବା ଦରକାର।

ଅନ୍ୟପଟେ ଆଇଆଇସି କହିଥିଲେ, ‘ଯୁକ୍ତିତର୍କ ବେଳେ ଜୟନାରାୟଣ ମୋ ଗାଲକୁ ଥାପଡ଼ ମାରିଥିଲେ। ମୁଁ ନିଜର ରକ୍ଷା କରିବା ବେଳେ ତାଙ୍କୁ ବିଜେପି ସମର୍ଥକମାନେ ନେଇଗଲେ। ମୁଁ ତାଙ୍କ ଉପରକୁ ହାତ ଉଠାଇନି। ଏନେଇ ଥାନାରେ ଏତଲା ଦେଇଥିଲେ।ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ ଜୟନାରାୟଣ ଓ ଆଇଆଇସି। ଯାହା ସୁପ୍ରିମ କୋର୍ଟରେ ପହଂଚିଛି।

Leave A Reply

Your email address will not be published.