‘ସମ୍ପୂର୍ଣ୍ଣ ବନ୍ଦ ହେବ କଟନିଛଟନି, ଧାନ ସଂଗ୍ରହକୁ ଉତ୍ସବ ଭାବେ ପାଳିବେ ସରକାର’
ଓଏଲ୍ ବ୍ୟୁରୋ: ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠ ପକ୍ଷରୁ ଆଜି ୭୧ ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ଏହି ବିଭାଗକୁ ଚଳଚଞ୍ଚଳ କରି, ତୃଣମୂଳ ସ୍ତରରେ ସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଆଉ ସପ୍ତାହେ ପରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିରେ ସମବାୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଧାନ ସଂଗ୍ରହ ପ୍ରକ୍ରିୟାରେ ବିନା ସମବାୟ ବିଭାଗର ସହଯୋଗରେ ଖାଦ୍ୟ ଯୋଗାଣ ବିଭାଗ ଆଗକୁ ଗତି କରିପାରିବ ନାହିଁ। ଆମ ନିର୍ବାଚନୀ ଘୋଷଣାପତ୍ର ରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପି ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲୁ। ରାଜ୍ୟରେ ସରକାର ଆସିବାର ଗୋଟିଏ ଘଣ୍ଟା ମଧ୍ୟରେ ଆମେ ଏନେଇ ନିଷ୍ପତ୍ତି ନେଇଛୁ।
ଆସନ୍ତା ଡ଼ିସେମ୍ବର ୮ ତାରିଖରେ ବରଗଡ଼ ସୋହେଲା ଠାରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ସମାବେଶରେ ପ୍ରାୟ ୫୦ ହଜାର ଚାଷୀ ଯୋଗଦେବେ। ସେଠାରେ ଚାଷୀଙ୍କୁ ସାମୁହିକ ଭାବେ ଧାନର କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯୋଗାଣ ମନ୍ତ୍ରୀ କହିଛନ୍ତି, ଧାନ ସଂଗ୍ରହକୁ ଉତ୍ସବ ଭାବେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ। ଆସନ୍ତା ୮ରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଉତ୍ସବ ଆରମ୍ଭ ହେବ। ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ। ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ମାଧ୍ୟମରେ ଉତ୍ସବ ହେବ। ସମାବେଶରେ ଯୋଗଦେବେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ । ଏକର ପିଛା ହାରାହାରି ୧୦ ହଜାର ଅଧିକ ପାଇବେ ଚାଷୀ। କଟନିଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।