ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶାମିଙ୍କ ଯାଦୁୁଗରି ବୋଲିଂ
ଓଏଲ୍ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର। ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଇନ୍ଦୋରରେ ଖେଳାଯାଉଥିବା ରଣଜୀ ମ୍ୟାଚରେ ଶାଣିତ ବୋଲିଂ କରିବା ସହିତ ଓ୍ବିକେଟ ନେଇ ଚୟନକର୍ତ୍ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ମହମ୍ମଦ ଶାମି। ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ୪ଟି ଓ୍ବିକେଟ ନେଇ ନିଜର ପ୍ରତ୍ୟାବର୍ତ୍ତନର ଡିଣ୍ଡିମ ପିଟିଛନ୍ତି ଶାମି। ଯାହା ଏବେ ଅଷ୍ଟ୍ରେଲିଆରେ ଗୁଞ୍ଜରିତ ହେବାରେ ଲାଗିଛି।
ବେଙ୍ଗଲ ପାଇଁ ରଣଜୀ ଖେଳୁଥିବା ଶାମି ନିଜ ଯାଦୁଗରି ବୋଲିଂରେ ମଧ୍ୟପ୍ରଦେଶର ବ୍ୟାଟରଙ୍କୁ ଘାଣ୍ଟିଛନ୍ତି। ସେ ଏକାକି ୪ ୱିକେଟ ଦଖଲ କରିବାରୁ ମଧ୍ୟପ୍ରଦେଶ ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସରେ ଲିଡ୍ ହାସଲ କରିଛି। ବେଙ୍ଗଲ ପ୍ରଥମ ଇନିଂସରେ ୨୨୮ ରନ କରିଥିବା ବେଳେ ମଧ୍ୟପ୍ରଦେଶ କେବଳ ୧୬୭ ରନ କରି ଅଲଆଉଟ ହୋଇଯାଇଛି।
୩୪ ବର୍ଷୀୟ ଶାମି ୨୦୧୮ ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳୁଛନ୍ତି। ସେ ମଧ୍ୟପ୍ରଦେଶ ବିପକ୍ଷରେ ନିଜର କ୍ଲାସ ଓ ଅଭିଜ୍ଞତାକୁ ପ୍ରଦର୍ଶନ କରି ୧୯ ଓଭରରେ ୫୪ ରନ ଦେଇ ୪ ୱିକେଟ ନେଇଛନ୍ତି। ଏହି ମ୍ୟାଚ୍ର ପ୍ରଥମ ଦିନରେ ଶାମିଙ୍କୁ କୌଣସି ୱିକେଟ ମିଳି ନଥିଲା। ତେବେ ଦ୍ୱିତୀୟ ଦିନରେ ସେ ନିଜର ରଣନୀତି ବଦଳାଇଥିଲେ। ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ।