Odisha Link
Bridging the Missing Links in Odisha

ସମ୍ପ୍ରସାରଣ ହେଉଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ, ସ୍ଥିତି ଯାଞ୍ଚ କଲେ ବିମାନବନ୍ଦର ଉପଦେଷ୍ଟା

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋର ସୋରରେ ଆଗେଇ ଚାଲିଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା ସୁରେଶ କୁମାର ହୋତାଙ୍କ ସହିତ ଏକ ଯାଞ୍ଚ ଦଳ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏୟାରଷ୍ଟ୍ରିପର ଲମ୍ବ ୧୨୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏହାକୁ କିପରି ଏକ ପୂର୍ଣ୍ଣ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ କରିହେବ ସେଥିପାଇଁ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଥିବା ରାସ୍ତା ବିମାନବନ୍ଦର ସମ୍ପ୍ରସାରଣରେ ବ୍ୟବହାର ନ କରି ଅନ୍ୟ ଦିଗରେ କିପରି କରିହେବ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ତଥା ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ବିମାନବନ୍ଦରଟି କାର୍ଯ୍ୟକ୍ଷମ ହେଲେ ଗଞ୍ଜାମବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହୋଇପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୨୦୨୩ରେ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ଶେଷ ସୁଦ୍ଧା ସାରିବାକୁ ଠିକାଦାର ସହ ଚୁକ୍ତିନାମା ହୋଇଥିଲା। ଏହା ମଧ୍ୟରେ ପୁଣି ଥରେ ରନଓ୍ବେ ଲମ୍ବ ୧୨୦୦ ମିଟର କରିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାରୁ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଆସନ୍ତା ୨୦୨୫ ମାର୍ଚ୍ଚ ମଧ୍ୟରେ ସାରି ଏପ୍ରିଲରୁ ବିମାନ ଚଳାଚଳ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଥିବା ଜଣା ପଡିଛି।

Leave A Reply

Your email address will not be published.