Odisha Link
Bridging the Missing Links in Odisha

ଆଜି ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ, ଆୟୋଜିତ ହେଉଛି ‘କୋଟିଏ ହସ’

ଓଏଲ୍‌ ବ୍ୟୁରୋ: ଶିଶୁ ଦିବସ ବା ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ଡାକୁଥିଲେ। ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ଭଲ ପାଇବା ଥିବାରୁ ସେ ଚାହୁଁଥିଲେ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉ। ସେବେଠାରୁ ଭାରତ ବର୍ଷରେ ପ୍ରତି ବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେଉଛି ଶିଶୁ ଦିବସ। ଏହି ଅବସରରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଶିଶୁମାନଙ୍କ ପାଇଁ ଉତ୍ସବ ‘କୋଟିଏ ହସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ କରି ରାଜ୍ୟର ସମସ୍ତ ୮୪୧୮ଟି ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ “କୋଟିଏ ହସ’ ସହିତ ପୋଷଣ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

ପୋଷଣ ଟ୍ରାକର ଅନୁସାରେ ସାଧାରଣ ବର୍ଗରେ ଥିବା ଶିଶୁମାନଙ୍କୁ ଦୁଇଟି ବର୍ଗ ଯଥା-୬ ମାସରୁ ୩ ବର୍ଷ ଏବଂ ୩ ବର୍ଷ ରୁ ୬ ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚିହ୍ନଟ କରାଯିବ। ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ସ୍ୱତନ୍ତ୍ର କମିଟି ଦ୍ୱାରା ଉଭୟ ବର୍ଗରେ ଶ୍ରେଷ୍ଠ ତିନି ଜଣଙ୍କୁ ଚିହ୍ନଟ କରି ପୁରସ୍କୃତ କରାଯିବ। ପୁରସ୍କାରରେ ଆକର୍ଷଣୀୟ ଉପହାର ଏବଂ ପୁଷ୍ଟିକର ଟୋକେଇ(ନ୍ୟୁଟ୍ରିସନ ବାସ୍କେଟ୍) ଦେବାକୁ ଯୋଜନା ରହିଛି।

ରାଜ୍ୟର ସମସ୍ତ ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ ୬ ଜଣ ଲେଖାଏ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରାଯିବ। ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନ ‘କୋଟିଏ ହସ’ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନ ସହ ସମାନ୍ତରାଳ ଭାବରେ ଏହାକୁ ରାଜ୍ୟବ୍ୟାପୀ ଆୟୋଜିତ କରାଯିବ। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାକୁ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି। କୁପୋଷଣ ମୁକ୍ତ ରାଜ୍ୟ ଲାଗି ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ଶିଶୁ ଓ ମାତାପିତାଙ୍କୁ ଏ ଦିଗରେ ପ୍ରତ୍ସୋହିତ କରିବା ଲାଗି ଏଭଳି ନିଆରା ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.