ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି ପରୀକ୍ଷା!
ଦୁର୍ନୀତି ବିରୋଧି ଛାତ୍ର ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ
ଓଏଲ୍ ବ୍ୟୁରୋ: ପୁଣି ନିଯୁକ୍ତି ଦୁର୍ନୀତି ପାଇଁ ସରକାରୀ ପ୍ରୋତ୍ସାହନ। ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି ପରୀକ୍ଷା ପାଇଁ ଯୋଜନା । ସାରା ଭାରତବର୍ଷରେ ନରମାଲାଇଜେସନକୁ ଛାତ୍ରମାନେ ବିରୋଧ କରୁଥିବା ବେଳେ ଓଡିଶା ସରକାର ପ୍ରୋତ୍ସାହନ ଦେଉଛନ୍ତି କାହିଁକି ? ସରକାର ଓ ସଂସ୍ଥା ଯାହାକୁ ଚାହିଁବେ ଚାକିରୀ ଦେବେ ଯୋଜନା ହେଉଛି ନାରମଲାଇଜେସନ ।
ଅବ୍ୟବସ୍ଥା ଓ ଅନିୟମିତାରେ ନିଯୁକ୍ତି ପରୀକ୍ଷା କରାଯାଉଥିବା ନେଇ ଆଶାୟୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଚେତୁ ନାହାନ୍ତି ସରକାର । ଆର୍ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ପରୀକ୍ଷାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଦୁର୍ନୀତି ବିରୋଧି ଛାତ୍ର ସଂଗଠନ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇଛି । ସରକାର ମଧ୍ୟ ଏହାକୁ ସ୍ୱୀକାର କରି ତଦନ୍ତ କରୁଥିବା କହିଛନ୍ତି । ହେଲେ ପୁଣି ଥରେ ସେହି ବିବାଦୀୟ ପରୀକ୍ଷା ସେଣ୍ଟରରେ ଓଡିଶା ପୋଲିସ ମିନିଷ୍ଟରିଆଲ ଷ୍ଟାଫ ସିଲେକସନ ବୋର୍ଡ ଜୁନିୟର କ୍ଳର୍କ ପଦ ପାଇଁ ପରୀକ୍ଷା କରିବାକୁ ଯାଉଛନ୍ତି ସରକାର । ଆରଆଇ ଏବଂ ଅମିନ ପରୀକ୍ଷା ହୋଇଥିବା ବିବାଦୀୟ ନୟାପଲ୍ଲୀ ସ୍ଥିତ ଏସ୍ଏସ୍ବି ଏଜୁଟେକ ଆସେସମେଣ୍ଟ ଆଣ୍ଡ ଟେଷ୍ଟିଂ ସେଣ୍ଟରରେ ପୁଣି ପରୀକ୍ଷା କରୁଛନ୍ତି । ଏହା ରାଜ୍ୟର ଲକ୍ଷ ଲକ୍ଷ ମେଧାବୀ ଚାକିରି ଆଶାୟୀଙ୍କ ସହ ପ୍ରତାରଣା ବୋଲି କହିଛନ୍ତି ଦୁର୍ନୀତି ବିରୋଧି ଛାତ୍ର ସଂଗଠନର ରାଜ୍ୟ ଆବାହକ ବିଭୂତି ଭୂଷଣ ମହାପାତ୍ର । ସେହିପରି ଏହି ପରୀକ୍ଷା ଅନିୟମିତତା ତଦନ୍ତ ଆଳରେ ସରକାର ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି । ପରୀକ୍ଷାକୁ ବାତିଲ ନକରି ଗଳାବାଟ ଖୋଜିଛନ୍ତି । ପିଲାମାନଙ୍କ ଠାରୁ ପ୍ରମାଣ ମାଗି ତଦନ୍ତକୁ ଦୁର୍ବଳ କରୁଛନ୍ତି । ପରୀକ୍ଷା ସମୟରେ ମୋବାଇଲ୍ ବାହାରେ ଥିବାବେଳେ କମ୍ପୁଟର ବନ୍ଦ ହେବା, ମାଉସ ନଚାଲିବା, ସର୍ଭର ଡ଼ାଉନ୍ ପରି ସମସ୍ୟାର କିପରି ପ୍ରମାଣ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଯଥା ଶିଘ୍ର ପୁନଃ ପରୀକ୍ଷା କରି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦୁର୍ନୀତି ବିରୋଧି ଛାତ୍ର ସଂଗଠନର ରାଜ୍ୟ ଆବାହକ ବିଭୂତି ଭୂଷଣ ମହାପାତ୍ର ଦାବି କରୁଛନ୍ତି । ଅନ୍ୟଥା ବିଧାନସଭାକୁ ପଶିବାକୁ ମେଧାବୀମାନେ ବାଧ୍ୟ ହେବେ ବୋଲି ମଧ୍ୟ ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯାହାକୁ ଚାହିଁବେ ତାହାକୁ ଚାକିରି ଦେବା ପାଇଁ ଏକ ସୁନ୍ଦର ଯୋଜନା କରିଛନ୍ତି । କାରଣ ପୋଲିସ୍ ଜୁନିୟର କ୍ଳର୍କ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ମୂଳ ମାର୍କ ଜଣାଯିବ ନାହିଁ । କେବଳ ନର୍ମାଲାଇଜେସନ୍ ମାର୍କ ଜଣାଯିବ । ଏହି ନର୍ମାଲାଇଜେସନ୍ ପ୍ରକ୍ରିୟାରେ ହିଁ ସରକାରଙ୍କ ଇଚ୍ଛା ମୁତାବକ ପଲାଙ୍କୁ ଚାକିରି ଦେବାକୁ ମସୁଧା କରୁଛନ୍ତି । ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର କରିବେ ସରକାର । ଥିଲା ଘରର ପିଲା ଚାକିରି ପାଇବେ ଓ ମେଧାବୀ ରାସ୍ତାରେ ବସିବେ । କେହି ଯେପରି ପ୍ରଶ୍ନ ଉଠାଇ ପାରିବେ ନାହିଁ, ସେଥିପାଇଁ ଗତ ୧୧ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସରକାରଙ୍କୁ ମୋର ପ୍ରଶ୍ନ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କୁ କାହିଁକି ତାଙ୍କ ମୂଳ ମାର୍କ ଜଣାଯିବ ନାହିଁ । ଏହା ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମୌଳିକ ଅଧିକାର । ଏହାକୁ କ୍ଷୁର୍ଣ୍ଣ କଲେ ରାଜରାସ୍ତାରେ ସରକାରଙ୍କ ସହ ଲଢ଼ିବେ ରାଜ୍ୟର ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀ । ଏହି ପରୀକ୍ଷା ମାଧ୍ୟମରେ ସରକାର ବିପୁଳ କଳାଧନ ଏକାଠି କରିବାକୁ ଯାଉଛନ୍ତି ଏବଂ ଏହି ପରୀକ୍ଷା ରାଜ୍ୟର ସର୍ବାଧିକ ଦୁର୍ନୀତିଯୁକ୍ତ ପରୀକ୍ଷା ହେବାକୁ ଯାଉଥିବା ଦୁର୍ନୀତି ବିରୋଧି ଛାତ୍ର ସଂଗଠନର ରାଜ୍ୟ ଆବାହକ ବିଭୂତି ଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି । ଆଗକୁ ରାଜ୍ୟରେ ହେବାକୁ ଥିବା ଡ଼ିଆଇଜି ସମ୍ମିଳନୀରେ ନିଯୁକ୍ତି ପରୀକ୍ଷାରେ ବ୍ୟପକ ଅନିୟମିତତା ଓ ଚାକିରି ବିକ୍ରି ପରି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି।