Odisha Link
Bridging the Missing Links in Odisha

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୌକା ବିହାର କରିବା ପରେ ଐତିହାସିକ ବାଲିଯାତ୍ରାକୁ ବିଧିବଦ୍ଧ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦଘାଟନୀ ଉତ୍ସବରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥର ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ୧୩ଟି ଦେଶର ରାଷ୍ଟ୍ରଦୂତ ପ୍ରମୁଖ ସାମିଲ ହୋଇଛନ୍ତି। ଏହା ସହିତ ୮ଟି ଦେଶର କଳାକାର ମଧ୍ୟ ସାମିଲ ହୋଇଛନ୍ତି।

ଚଳିତ ବାଲିଯାତ୍ରାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍‌ କରାଯାଇଛି। ଓଡ଼ିଆ ଅସ୍ମିତାକୁ ନେଇ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍‌-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ଫିଲ୍ମ ଫେଷ୍ଟିଭାଲ, ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ ସୋ, ପିଠା ମହୋତ୍ସବ, ଓରମାସର ସ୍ୱତନ୍ତ୍ର ଷ୍ଟଲ ଦେଖିବାକୁ ମିଳିଛି। ପ୍ରତିଦିନ ବଲିଉଡ୍‌, ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାଲିଯାତ୍ରାର ବିଶେଷ ଆକର୍ଷଣ ହେବାକୁ ଯାଉଛି।

ସବୁଠୁ ବଡ଼କଥା ହେଲା ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳାରେ ଉଭୟ ପଡ଼ିଆରେ ଏଥର ୨୫ଶହ ଷ୍ଟଲ୍‌ ଖୋଲାଯାଇଛି। ସେଥିମଧ୍ୟରୁ ଓର୍‌ମାସ୍‌ର ରହିଛି ୫୦୦ ଷ୍ଟଲ। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓର୍‌ମାସ୍‌ରେ ଅଗ୍ରାଧିକାର ଦିଆଯାଇଛି। ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

Leave A Reply

Your email address will not be published.