Odisha Link
Bridging the Missing Links in Odisha

ବିଶ୍ଵ ଦେଖିବ ଓଡ଼ିଶା ପାଭିଲିୟନର ଭବ୍ୟ ମଣ୍ଡପ

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪

ଓଏଲ୍‌ ବ୍ୟୁରୋ: ୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ। ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ରେ ଓଡିଶା ପାଭିଲିୟନର ଭବ୍ୟ ମଣ୍ଡପକୁ ଆଜି ଅପରାହ୍ନରେ ଉଦଘାଟନ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିବା ସହିତ ୨୦୩୬ ମସିହା ସୁଦ୍ଧା ଓଡିଶାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଓଡିଶାରେ ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ ଦେଇ, ଗ୍ରାମୀଣ ମା’ମାନଙ୍କ ଉନ୍ନତି, କାରୀଗରମାନଙ୍କର ବିକାଶ, କୃଷିଜୀବୀମାନଙ୍କ ଉତଥାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଫଳ ଓ ବଳିଷ୍ଠ ନେତୃତ୍ତ୍ଵରେ ଓଡିଶାର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ଦ୍ରୁତ ବିକାଶ ପଥର ପଥିକ ବୋଲି ଉପ-ମୁଖ୍ୟମନ୍ତ୍ରୀ ପରିଡା ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିକଶିତ ଭାରତ@୨୦୪୭ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ତ୍ଵରେ ବିକଶିତ ଓଡିଶା@୨୦୩୬ ଏହା ଏକ ଝଲକ ବୋଲି ପରିଡା କହିବା ସହିତ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ଵାବଧାନରେ ଏହି ପ୍ୟାଭିଲିୟନରେ ଓଡ଼ିଶାର କଳା ସଂସ୍କୃତି, ଜନଜାତି ଜୀବନ, କୃଷି, ହସ୍ତତନ୍ତ, ହସ୍ତଶିଳ୍ପ, କ୍ଷୁଦ୍ର ଶିଳ୍ପ, ବୁଲେଟ ଟ୍ରେନ, ପର୍ଯ୍ୟଟନ, ପରିବେଶ ସୁରକ୍ଷା ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହୋଇଛି । ଏଥିସହିତ, ଓଡ଼ିଶା ସରକାରଙ୍କ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ପ୍ରସ୍ତୁତି ଯୋଜନା ସମେତ ଓଡ଼ିଶା ସରକାରଙ୍କ ପରିବେଶ ସୁରକ୍ଷାରେ ହେନ୍ତାଳ ବନର ଭୂମିକା ଓ ଜୁଆର ଶକ୍ତିର ଉପଯୋଗ ଏବଂ ସମୁଦ୍ରର କ୍ଷାର ଜଳକୁ ମଧୁର ଜଳରେ ପରିବର୍ତ୍ତନ କରିବାର ପ୍ରକ୍ରିୟା ପ୍ୟାଭିଲିୟନର ଶୋଭାକୁ ବହୁଗୁଣିତ କରିବା ସହ ପରିବେଶ ଓ ଉପକୂଳ ସୁରକ୍ଷା ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଚଳିତ ବର୍ଷ ଏହି ପ୍ୟାଭିଲିୟନର ୨୫ ଟି ଷ୍ଟଲରେ ବିଭିନ୍ନ ୧୨ ଟି ବିଭାଗ ଓ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଅନୁଷ୍ଠିତ ଷ୍ଟଲରେ ଓଡ଼ିଶା ସରକାରଙ୍କ ଓରମାସ ଦ୍ଵାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓଡ଼ିଶାର ପର୍ଯ୍ୟଟନ ଦୃଶ୍ୟପଟ୍ଟ, ଓଡ଼ିଶା ଜନଜାତି ଜୀବନ, ଏମଏସଏମଇ, କୃଷି ଉତ୍ପାଦର ଝଲକ ଦେଖିବାକୁ ମିଳୁଛି । ପୁନଶ୍ଚ ରାଜ୍ୟରେ ବାଣିଜ୍ୟ କାରବାରକୁ ଦେଶ ତଥା ଅନ୍ତର୍ଜାତିକ ସ୍ତରରେ ବୃଦ୍ଧି କରିବା ଲକ୍ଷ୍ୟରେ ବ୍ୟବସାୟିକ ଆଲୋଚନା ପାଇଁ ପ୍ଲାଟଫର୍ମର ସୁବ୍ୟବସ୍ଥା କରାଯାଇଛି ।

ଆୟୋଜିତ ଉଦଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ପରିଡାଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରମୁଖ ଆବାସିକ କମିଶନର ବିଶାଲ ଗଗନ, ସ୍ଵତନ୍ତ୍ର ଆବାସିକ କମିଶନର ରିତୁ ଆରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୟନିକାର ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ତଥା ସୂଚନା ଓ ଲୋକସମ୍ପର୍କ ଏବଂ ଅଂଶଗ୍ରହଣକାରୀ ବିଭାଗ ଓ ସଂସ୍ଥା ଗୁଡିକର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.