୬ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ଯୋଜନା
ଓଏଲ୍ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୬ ଦିନିଆ ସିଙ୍ଗାପୁର ଗସ୍ତ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ୧୭, ୧୮ ଓ ୧୯ ତିନି ଦିନ ଧରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ। ଓଡ଼ିଶାରେ ବଡ଼ ବଡ଼ଶିଳ୍ପ ପ୍ରତିଷ୍ଠା ପାଇଁ ମୋହନ ସରକାର ଆଗରୁ ଦିଲ୍ଲୀ ଓ ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶାରେ ଏଥିପାଇଁ ଥିବା ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରିଛନ୍ତି। ଏବେ ସିଙ୍ଗାପୁର ଗସ୍ତ ବେଳେ ଓଡ଼ିଶାକୁ କିଭଳି ଅଧିକ ପୁଞ୍ଜି ଆସିବ ସେ ଦିଗରେ ମୁଖ୍ୟମନ୍ତ୍ରୀ ପ୍ରୟାସ କରିବେ। ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ଯୋଜନା ରହିଛି।
ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ମହାପ୍ରଭୁଙ୍କ ଆଶୀର୍ବାଦରେ ବିଦେଶ ଯାଉଛି । ବ୍ୟବସାୟ ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି । ବିକଶିତ ଓଡ଼ିଶା ଗଠନ ପାଇଁ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିବୁ । ରୋଡ୍ ସୋ’ ମାଧ୍ୟମରେ ଉଦ୍ୟୋଗୀଙ୍କୁ ଓଡ଼ିଶା ବିଷୟରେ ଜଣାଇବୁ । ଓଡ଼ିଶାର ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ, ଶିଳ୍ପ ନୀତି ନେଇ ଜଣାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା । ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଗସ୍ତ ସମୟରେ ସିଙ୍ଗାପୁରରେ ଡେପୁଟି ପ୍ରାଇମ ମିନିଷ୍ଟର, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଅନେକ ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ଫୋକସରେ ରହିବ କେମିକାଲ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ କ୍ଷେତ୍ର। ପେଟ୍ରୋ କେମିକାଲ୍ସ ହବ୍, ଜୁରୋଙ୍ଗ ପେଟ୍ରୋକେମିକାଲ୍ସ ରିଜିଅନ, ଟୁଆସ ପୋର୍ଟ ଆଦି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।