ଅନନ୍ତ, ଶ୍ରୀନିବାସ ଓ ଜୟୀଙ୍କୁ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ
ଓଏଲ୍ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ପ୍ରଦାନ କରାଯାଇଛି। ଗତ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଛି। ୨୦୨୦ ବର୍ଷ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ବର୍ଷ ପାଇଁ ଶ୍ରୀନିବାସ ମହାପାତ୍ର, ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଚଳଚ୍ଚିତ୍ରରେ ଆଜୀବନ ସାଧନା ପାଇଁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦରେ ନଗଦ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
ସେହିପରି ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।
ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ରଘୁବର ଦାସ। ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି।
ଠିକ୍ ସେହିପରି ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି। ୨୦୨୨ ବର୍ଷ ପାଇଁ ଚଳଚ୍ଚିତ୍ର ‘ଦମନ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ବାବୁଶାନ୍ ମହାନ୍ତି ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲୋପାମୁଦ୍ରା ମିଶ୍ରଙ୍କୁ ‘ବୋଉର ହାତ ବାକ୍ସ’ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।