ବାଲିଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ନାଁ ନିମନ୍ତ୍ରଣ ପତ୍ରରେ ନଥିଲା କହିଲେ କଂଗ୍ରେସ ବିଧାୟିକା

ଓଏଲ୍ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜେ ରାଗିଥିଲେ। ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥର। ଏବେ ବାରବାଟୀ-କଟକ ବିଧାୟିକା ତଥା କଂଗ୍ରେସ ନେତ୍ରୀ ସୋଫିଆ ଫିରୋଦସ ଆଣିଛନ୍ତି ବଡ଼ ଅଭିଯୋଗ।
ସୋଫିଆ କହିଛନ୍ତି, ଚଳିତ ବାଲିଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ପରିଚାଳନାରେ ବିଶେଷ ତ୍ରୁଟି ଦେଖିବାକୁ ମିଳିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା। ଏଭଳି ମନମାନି କାମ ଅଫିସର ମାନେ ହିଁ କରିଛନ୍ତି। ଯାହା ବି ତ୍ରୁଟି ସାମ୍ନାକୁ ଆସିବ ତାକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି ସୋଫିଆ।
ସେ ଆହୁରି କହିଛନ୍ତି, ବାଲିଯାତ୍ରା ଗୋଟରେ ପ୍ରାଇଭେଟ ଇଭେଣ୍ଟ ନୁହେଁ। କଟକକୁ ବାହାରୁ ଯେଉଁମାନେ ଆସନ୍ତି। ଆମେ ତାଙ୍କୁ ସମ୍ମାନର ସହ ସ୍ବାଗତ କରୁ। କଟକବାସୀଙ୍କ ମନ ଖୋଲା। ସେଥିପାଇଁ ତ ସମସ୍ତେ କୁହନ୍ତି କଟକ ଭାଇଚାରାର ସହର ବୋଲି। ହେଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଯେଉଁଭଳି ଭାବେ ମଞ୍ଚରୁ ତଳକୁ ଆଣିଥିଲା ପୁଲିସ ତାହା ଠିକ୍ ନୁହେଁ। ମଞ୍ଚ ଉପରକୁ ଚଢ଼ିବାକୁ ପୁଲିସକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ଫିରଦୋସ। କିଛି ଅଫିସରଙ୍କ ମନମାନି ଯୋଗୁଁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଯେଉଁ ଅଫିସରଙ୍କ କାମ କରିବାର ଇଚ୍ଛା ନାହିଁ। ସେମାନେ କଟକ ଛାଡ଼ି ଚାଲିଯାଆନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା। ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ପରିଚାଳନାରେ ଘୋର ଅବ୍ୟବସ୍ଥା ଦେଖା ଯାଇଛି।