ଓଡ଼ିଆ ଫିଲ୍ମ ପାଇଁ ସବ୍ସିଡି ଦିଅନ୍ତୁ ସରକାର: ରାଜ୍ୟପାଳ
ଓଏଲ୍ ବ୍ୟୁରୋ: ଓଲିଉଡ୍ରେ ଉତ୍ସାହ ଭରିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ବିଳମ୍ବ ହେଲେ ବି କଳାକାରଙ୍କ କଥା ବୁଝିଛନ୍ତି ରାଜ୍ୟ ସରକାର। ଦୀର୍ଘ ୪ ବର୍ଷ ପରେ ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମରେ ପୁଣି ଥରେ ଓଲିଉଡ୍ ଜଗତରେ ଉତ୍ସାହ ଭରି ଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର, କାହାଣୀ, ଅଭିନେତା, ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ରୂପସଜ୍ଜା ପର୍ଯ୍ୟନ୍ତ ମୋଟ ୩୩ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।
୩ ବର୍ଷ ପାଇଁ ୧୦୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ରେ କରୋନା ପାଇଁ ମାତ୍ର ୭ଟି ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କରିଥିଲେ। ସେଥିରୁ ଜୁରି କମିଟି ୪ଟି ଚଳଚ୍ଚିତ୍ରକୁ ଚୟନ କରିଥିଲେ। ୨୦୨୧ରେ ଆବେଦନ କରିଥିବା ୧୮ଟି ଚଳଚିତ୍ରରୁ ୧୪ଟି ପୁରସ୍କାର ପାଇଛନ୍ତି। ୨୦୨୨ରେ ଆବେଦନ କରିଥିବା ୨୧ଟି ଚଳଚ୍ଚିତ୍ରରୁ ୧୨ଟି ୩୧ଟି ବିଭାଗରେ ବିଭିନ୍ନ ପୁରସ୍କାର ପାଇଛନ୍ତି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ରଘୁବର ଦାସ ଅନୁରୋଧ କରି କହିଛନ୍ତି, ଓଡ଼ିଆ ଫିଲ୍ମ ପାଇଁ ସବ୍ସିଡି ଦିଅନ୍ତୁ ସରକାର। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ପଦେକ୍ଷପ ନିଅନ୍ତୁ। ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସବ୍ସିଡି ବ୍ୟବସ୍ଥା କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ରଘୁବର ଦାସ ଅନୁରୋଧ କରିଛନ୍ତି। ଏହା ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଆ ଫିଲ୍ମ ପାଇଁ ସବ୍ସିଡି ପ୍ରଦାନ କରାଯିବ।