ଆମ୍ବଟାକୁଆ ମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏବେବି ଚାଲିଛି ଆରଡିସି ତଦନ୍ତ
ଓଏଲ୍ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀିନ ଅବସ୍ଥାରେ ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଏମ୍କେସିଜି ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇବା ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି ଦକ୍ଷିଣାଞ୍ଚଳ ଆରଡିସି ରୂପାରୋଶନ ସାହୁ। ଆରଡିସି ମାଣ୍ଡିପଙ୍କା ଅଞ୍ଚଳ ବୁଲି ଆସିଛନ୍ତି ମଧ୍ୟ। ତେବେ ଏଯାଏଁ ମୃତ୍ୟୁ ମାମଲାର ରିପୋର୍ଟ ଦାଖଲ କରିନାହାନ୍ତି।
ସୂଚନାଥାଉକି, ନଭେମ୍ବର ୨ ତାରିଖରେ ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଖାଦ୍ୟ ସୁରକ୍ଷା ଯୋଜନାକୁ କଡାକଡି ପାଳନ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଥିଲା।
ଅପରପକ୍ଷେ ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍ ହୋଇଥିଲା। ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ୍ ହୋଇଥାଏ।ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନଥିଲା। ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା।ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହୋଇଯାଇଥିଲା ବୋଲି କହିଥିଲେ।