ଓଡ଼ିଶାରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଆଇନମନ୍ତ୍ରୀଙ୍କ କଡ଼ା ମନ୍ତବ୍ୟ..
ଓଏଲ୍ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନର ରଥଯାତ୍ରା ପରେ ଓଡ଼ିଶାରେ ଅଦିନିଆ ରଥଯାତ୍ରା ଖବର ନଜରକୁ ଆସିଛି। ଯାହାକୁ ନେଇ ଆଇନମନ୍ତ୍ରୀ କଡ଼ା ମନ୍ତବ୍ୟ ରଖିଛନ୍ତି। ଆଇନମନ୍ତ୍ରୀ କହିଛନ୍ତି, ସଂପୃକ୍ତ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବି। ଆଗକୁ କୌଣସି ପିରିସ୍ଥିତିରେ ଅଦିନିଆ ରଥଯାତ୍ରା ହେବନି। ଅନ୍ତତଃ ଓଡ଼ିଶାରେ ଅଦିନିଆ ରଥ ଯାତ୍ରା ହେବନାହିଁ।
ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା କୋମନାରେ ଅଦିନିଆ ରଥଯାତ୍ରା ହୋଇଥିବା ସାମ୍ନାକୁ ଆସିଥିଲା। ଏହାକୁ ବିରୋଧ କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ। ଏକ ୧୦ ଜଣିଆ ଟିମ୍ ଆଇନ ମନ୍ତ୍ରୀଙ୍କୁ ଭେଟି ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଟିମ୍ କୋମନାସ୍ଥିତ ସେହି ଗାଁକୁ ଯିବେ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟିବେ।
ଦୁଇଦିନ ତଳେ ନୂଆପଡ଼ା ଜିଲ୍ଲା କୋମନାର ଏକ ଗାଁରେ ରଥଯାତ୍ରା ହୋଇଥିଲା। ଯେତେବେଳେ ଆମେରିକାର ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ରଥଯାତ୍ରା ବେଳେ ବିରୋଧ କରାଯାଉଛି, ସେତେବେଳେ ଓଡ଼ିଶାରେ କିଭଳି ଅଦିନିଆ ରଥଯାତ୍ରା ହେଉଛି, ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହା ପରେ ସଂପୃକ୍ତ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।