Odisha Link
Bridging the Missing Links in Odisha

କ୍ୟାରିୟରରେ ନେଇଛନ୍ତି ମାତ୍ର ଗୋଟିଏ ଓ୍ବିକେଟ, ଏବେ ଆରସିବିର ବୋଲିଂ କୋଚ୍

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ର ମେଗା ନିଲାମି ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କେବଳ ଗୋଟିଏ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଦଳର ଗୁରୁ ଦାୟିତ୍ବ ପ୍ରଦାନ କରି ଚର୍ଚ୍ଚାରେ ଆରସିବି। ମୁମ୍ବାଇ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଓମକାର ସାଲଭିଙ୍କୁ ବୋଲିଂ କୋଚ୍‌ ନିଯୁକ୍ତ କରିଛି ଆରସିବି। ଏନେଇ ଆରସିବି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସବୁଠାରୁ ବଡ଼କଥା ହେଲା ଓମକାର ନିଜ କ୍ରିକେଟ କ୍ୟାରିୟରରେ କେବଳ ଗୋଟିଏ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି। ଆଉ ମାତ୍ର ଗୋଟିଏ ଓ୍ବିକେଟ ନେଇଥିଲେ।

ଓମକାର ସାଲଭି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆବିଷ୍କାର ସାଲଭିଙ୍କ ଭାଇ। ବର୍ତ୍ତମାନ ସମୟରେ ଘରୋଇ କ୍ରିକେଟ୍‌ରେ ସବୁଠୁ ଭଲ କୋଚ୍‌ ଭାବେ ଜଣାଶୁଣା ଓମକାର। ସେ ନିଜ କ୍ୟାରିୟରରେ କେବଳ ଗୋଟିଏ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି। ନିଜର ପ୍ରଥମ ଓ ଶେଷ ମ୍ୟାଚ୍‌ ରେଲଓ୍ବେ ପାଇଁ ଖେଳିଥିଲେ ଓମକାର। ମଧ୍ୟପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ସେ ୩୬ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ। ଓମକାର ସାଲଭି ମେ’ ୨୦୨୩ରେ ମୁମ୍ବାଇର ମୁଖ୍ୟ କୋଚ୍‌ ହୋଇଥିଲେ। ସେ ବରିଷ୍ଠ କୋଚ୍‌ ଅମୋଲ ମଜୁମଦାରଙ୍କ ସ୍ଥାନ ନେଇଥିଲେ।

ଆରସିବି ପକ୍ଷରୁ ଏକ୍ସରେ ଲେଖାଯାଇଛି, ମୁମ୍ବାଇର ମୁଖ୍ୟ କୋଚ୍‌ ଓମକାର ସାଲଭୀଙ୍କୁ ଆରସିବିର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଗତ ୮ ମାସ ମଧ୍ୟରେ ରଣଜୀ ଟ୍ରଫି, ଇରାନୀ ଟ୍ରଫି ଏବଂ ଆଇପିଏଲ ଟ୍ରଫି ବିଜୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କୁ ଆମ ଟିମ୍‌କୁ ସ୍ବାଗତ। ସୂଚନାଥାଉକି, ୪୬ ବର୍ଷୀୟ ଓମକାର ସାଲଭି ଆଇପିଏଲ ୨୦୨୪ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଆସିଷ୍ଟାଣ୍ଟ କୋଚ୍‌ ଥିଲେ‌ । ତାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୨୦୨୫ରେ ଶେଷ ହେବାକୁ ଯାଉଛି।

Leave A Reply

Your email address will not be published.