‘ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଓଏଲ୍ ବ୍ୟୁରୋ: ସମ୍ବଲପୁରବାସୀଙ୍କ ପାଇଁ ଭଲ ଖବର। ଏଣିକି ପାଇବେ ସହଜରେ ପାଇବେ ଉନ୍ନତ ଚିକିତ୍ସା। ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ‘ନିଶୁଳ୍କ ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ସର୍ଭିସର ଲୋକାର୍ପଣ ହେବା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ରାଜ୍ୟରେ ଚିକିତ୍ସା ସେବାର ସୁଦୃଢୀକରଣ କରିବା ଦିଗରେ ନୂଆ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ଏହି ସରକାରୀ ହସ୍ପିଟାଲରେ ସିଟି ସ୍କାନ୍ ସେବା ପରିଚାଳନା ପାଇଁ କଟକ ସ୍ଥିତ ଆଡାନେକ୍ସ ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଅତ୍ୟାଧୁନିକ ସିଟି ସ୍ଲାନ୍ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ମାଗଣାରେ ନିଜର ସିଟି ସ୍କାନ୍ କରାଇବା ସହ ବିଶେଷ ଉପକୃତ ହୋଇପାରିବେ। ଆଜିର ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ।