ଦାୟିତ୍ୱରୁ ହଟିଲେ ରେଢ଼ାଖୋଲର ବିବାଦୀୟ ତହସିଲଦାର
ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଫେରିଛନ୍ତି ଦେବାଶିଷ। ପୂର୍ବରୁ ଅମିନ କୁଳମଣି ନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ତହସିଲଦାରଙ୍କୁ ଦାୟିତ୍ୱରୁ ହଟାଯାଇଛି। ଏବେ ତହସିଲଦାର ଦାୟିତ୍ୱରେ ଅତିରିକ୍ତ ତହସିଲଦାର ପ୍ରଭାତ ବିଶ୍ୱାଳ ରହିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ କିଛି ଦିନ ପୂର୍ବରୁ ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶରତ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ତହସିଲଦାର ମହାଶୟ ଶରତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଵା ସହ ଚପଲରେ ପିଟିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।