ଦୈନିକ ୩୮ଟି ସିଗାରେଟ୍ ଟାଣିବା ପରି ବିଷାକ୍ତ ଦିଲ୍ଲୀର ବାୟୁୁ
ଓଏଲ୍ ବ୍ୟୁରୋ: ଆଜକୁ ୯ ବର୍ଷ ତଳର କଥା। ୨୦୧୬ ମସିହା ଜାନୁଆର ୨୫ ତାରିଖରେ ଦିଲ୍ଲୀ ବାୟୁ ପ୍ରଦୂଷଣର ଚାଦରର ଛାତି ଚିରି ଏୟାରଫୋର୍ସ-୧ ଦିଲ୍ଲୀରେ ଅବତରଣ କରିଥିଲା। ସେହି ବିମାନରେ ଆମେରିକାର ରାଷ୍ଟ୍ରପତି ବରାକ ଓବାମା ଥିଲେ। ଦିଲ୍ଲୀରେ ୩ ଦିନ ରହିଥିଲେ ଓବାମା। ରାଷ୍ଟ୍ରପତି ଭବନ, ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ବି ସାମିଲ ହୋଇଥିଲେ। ଏହି ସମୟରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଥିଲା ଦିଲ୍ଲୀ ପ୍ରଦୂଷଣ। ଅନ୍ତର୍ଜାତୀୟ ଖବରର ଶୀର୍ଷକରେ ଥିଲା “ମିଷ୍ଟର ପ୍ରେସିଡେଣ୍ଟ, ଦୁନିଆର ସବୁଠୁ ଖରାପ ବାୟୁ ଆପଣଙ୍କ ଆୟୁଷ ୬ ଘଣ୍ଟା କମ କରିଦେଇଛି। ୯ ବର୍ଷ ତଳେ ଦିଲ୍ଲୀ ବାୟୁ ପ୍ରଦୂଷଣର କଥା ସାରା ବିଶ୍ବରେ ଉଠିଥିଲା। ଏବେ ପୁଣିିଥରେ ଦିଲ୍ଲୀ ବାୟୁ ପ୍ରଦୂଷଣ ଜନଜୀବନ ଅସ୍ତବ୍ୟସ୍ତ କରିବାରେ ଲାଗିଛି।
ଦୁଇ ଦିନ ହେବ ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଛି ଦିଲ୍ଲୀ ବାୟୁର ମାନ। ଚାରିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଆଜି AQI ୫୦୦ ଟପିଛି। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ GRPA ୪ ଲାଗୁ କରାଯାଇଛି। ଏହି କାରଣରୁ ଦିଲ୍ଲୀର ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଛି। କ୍ଲାସଗୁଡ଼ିକ ବର୍ତ୍ତମାନ ଅନଲାଇନ୍ ମାଧ୍ୟମ ମାଧ୍ୟମରେ କରାଯିବ। ସେହିପରି ଦିଲ୍ଲୀ ୟୁନିର୍ଭସିଟି ଓ ଜେଏନ୍ୟୁ ମଧ୍ୟ ବନ୍ଦ ରଖାଯାଇଛି। ଅନ୍ଲାଇନ୍ କ୍ଲାସ ପାଇଁ ଘୋଷଣା ହୋଇଛି। ଦୈନିକ ୩୮ଟି ସିଗାରେଟ ଟାଣିଲେ ମଣିଷର ସ୍ବାସ୍ଥ୍ୟବସ୍ଥା ଉପରେ ଯେଉଁ କୁପ୍ରଭାବ ପକାଇଥାଏ। ତାହା ଏବେ ଦିଲ୍ଲୀ ବାୟୁରେ ରହିଛି। ଅର୍ଥାତ୍ ୩୮ଟି ସିଗାରେଟ୍ ଟାଣିବା ଭଳି ବିଷାକ୍ତ ଦିଲ୍ଲୀର ବାୟୁ ମଣ୍ଡଳ।
ଦେଶର ପ୍ରଦୂଷଣ ସ୍ତର ମାପୁଥିବା ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ମୁତାବକ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ୨ ଦିନ ହେବ ସାଂଘାତିକ ହୋଇଛି। ୧୭ ତାରିଖରେ AQI ୪୪୧ ଥିଲା। ନଭେମ୍ବର ୧୮ ତାରିଖରେ AQI ୪୯୪ ପାର କରିଥିଲା। ଆଜି AQI ୫୦୦ ଟିପିଛି। ଏଭଳି ପ୍ରଦୂଷିତ ବାୟୁ ଜଣେ ସୁସ୍ଥ ବ୍ୟକ୍ତିକୁ ରୋଗିଣା କରିପାରେ।କେବଳ ଦିିଲ୍ଲୀରେ ନୁହେଁ ଦେଶର ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରା ଅଧିକ।
ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସକାଳ ୧୦ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘରୋଇ ସେକ୍ଟରେ କାମ କରୁଥିବା ଅଧିକାଂଶ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ୍ କରିବାକୁ ପରାମର୍ଶ ଦିଆଯାଇଛି।