ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବାକୁ ନିର୍ଦ୍ଦେଶ: ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ କେନ୍ଦ୍ରର ଚିଠି
ଓଏଲ୍ ବ୍ୟୁରୋ: ଉତ୍ତର ପ୍ରଦେଶର ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗିବାରୁ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ଯାଇଛି। ୧୬ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଭଳି ଭୟାବହ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ପାଇଁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପିଏସ ଶ୍ରୀବାସ୍ତବ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।
ଘଟଣାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ରହିଛି। ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ପ୍ରଟୋକଲ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲର ଅଗ୍ନି ନିର୍ବାପନ ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। ଅଗ୍ନି ନିରାପତ୍ତା ପ୍ରସ୍ତୁତି ଓ ମୁକାବିଲା ସମୀକ୍ଷା କରିବାକୁ ଚିଠି ଲେଖାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ନିୟମ ଉଲ୍ଲଂଘନ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।