ଆଜିଠୁ ଖୋଲିବ ଧାନମଣ୍ଡି, ବର୍ଦ୍ଧିତ ଏମ୍ଏସପି ସହ ଚାଷୀଙ୍କୁ ମିଳିବ ବୋନସ୍
ଓଏଲ୍ ବ୍ୟୁରୋ: ଆଜିଠୁ ଖୋଲିବ ଧାନମଣ୍ଡି। ଖରିଫ୍ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଛନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ରାଜ୍ୟ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
ଅନ୍ୟପଟେ, ସୁରେଶ ପୂଜାରୀ କହିଛନ୍ତି, ଚାଷୀ ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମୁଁ ମଧ୍ୟ ପ୍ରସ୍ତୁତ। ଆଜି ଠାରୁ ରାଜ୍ୟରେ ଖୋଲିବ ଧାନମଣ୍ଡି। ୨୦ରେ ବରଗଡ ଏବଂ ୨୧ରେ ସମ୍ବଲପୁରରେ ଧାନ କିଣିବେ ସରକାର। ଧାନକିଣାରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ବଡ ଜିଲ୍ଲା। ଧାନକିଣା ଲାଗି ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ। ସଂପୃକ୍ତ ଅଧିକାରୀ କଟ୍ନୀଛଟ୍ନୀ ହେଉଛି ନା ନାହିଁ ଦେଖିବେ।୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଦଲାଲ ମାନେ ଯେମିତି ପଶି ନପାରିବେ ପୁଲିସ ପାଟ୍ରୋଲିଂ କରିବ।ସରକାର ଦେଉଥିବା ୮୦୦ ଟଙ୍କା ସବସିଡି ଉପରେ ଗୁରୁତ୍ଵ ଦିଆଯିବ।
ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଏହାକୁ ଯେପରି ସମସ୍ତ ଚାଷୀଙ୍କୁ ମିଳିବ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଡିସେମ୍ବର ୭ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେଇଥିବେ ସେମାନଙ୍କୁ ୮ତାରିଖରେ ସୋହେଲାରେ ହେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁଇଣ୍ଟାଲ ପିଛା ୮୦୦ଟଙ୍କା ଦେବେ ବୋଲି କୁହାଯାଇଛି।
ସେହିପରି ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଏହାସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। କଟ୍ନି ଛଟ୍ନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।