Odisha Link
Bridging the Missing Links in Odisha

ସହଜରେ ଜମି ପାଇବେ ବାସହରା, ନୂଆବର୍ଷରେ ଆସିବ ନୂଆ ଜନବସତି ନୀତି!

ଓଏଲ୍‌ ବ୍ୟୁରୋ: ୨୦୨୫ ଆରମ୍ଭରେ ଆସିବ ନୂଆ ପୁନଃ ଥଇଥାନ ଓ ବସତି(R&R) ନୀତି। ବାସହରା ଲୋକଙ୍କୁ ସହାୟତା ଦେବାକୁ ଆର୍‌ଆଣ୍ଡଆର୍ ପଲିସି-୨୦୦୬ର ସଂଶୋଧନ ହେବ। ବାସହରାଙ୍କୁ ଜମି ବଦଳରେ ଜମି ଦିଆଯାଇ ପାରିବ କି ନାହିଁ, ଚିନ୍ତା କରୁଛନ୍ତି ସରକାର। ସମସ୍ତ ବିଧାୟକ ଓ ଅଧିକାରୀମାନେ ସେମାନଙ୍କର ମତାମତ ଦେବାକୁ କୁହାଯାଇଛି ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଅନୁଷ୍ଠାନ, ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଜମି ଶୀଘ୍ର ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ। ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଘରୋଇ ଶିଳ୍ପକୁ ଆବଶ୍ୟକତାଠାରୁ ଅଧିକ ଜମି ଦିଆଯିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ରଖିଥିଲେ ରାଜସ୍ବ, ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଥିଲେ, ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ପୁରୀରେ ଜମି ଯୋଗାଇଥିଲେ ତତ୍କାଳୀନ ସରକାର। ହେଲେ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା। ଏପରିକି ଜମି ଅଧିଗ୍ରହଣ ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ହାଇକୋର୍ଟ ଜମି ଫେରସ୍ତ ପାଇଁ ରାୟ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବିଶ୍ବବିଦ୍ୟାଳୟ ନ ହେବାରୁ ଜମି ଫେରସ୍ତ ଦିଆଯିବ। ଯାହାଫଳରେ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ।

ସେ ଆହୁରି କହିଥିଲେ, ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୬୯୨.୦୨ ସରକାରୀ ଜମି ଲିଜ୍ ସାଙ୍କସନ ହୋଇଥିଲା। ସେହିଭଳି ୩୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏନେଇ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଲୋକଙ୍କୁ ସେମାନଙ୍କ ଜମି ମିଳିବ। ଲୋକ ତାକୁ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.