ଡବଲ ଧମାକା ପରେ ତିଲକଙ୍କୁ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ, ପଛରେ ପଡ଼ିଲେ ଅଧିନାୟକ
ଓଏଲ୍ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଆଇସିସି ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଦବଦବା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଯୁବ ବାମହାତୀ ବ୍ୟାଟସମାନ୍ ତିଲକ ବର୍ମାଙ୍କୁ ମିଳିଛି ବଡ଼ ସଫଳତା। ସେ ରାଙ୍କିଙ୍ଗରେ ରେକର୍ଡ ୬୯ଟି ସ୍ଥାନ ଉପରକୁ ଉଠି ସିଧା ୩ନଂରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ।
ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ତାଙ୍କ ବ୍ୟାଟରୁ ଦୁଇଟି ଶତକ ଦେଖିବାକୁ ମିଳିଥିଲା। ଏହି ସଫଳତା ପରେ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ଭାରତ ୩-୧ରେ ଟି-୨୦ ସିରିଜ ଜିତିଥିବା ବେଳେ ତିଲକ ବର୍ମା ୧୯୮ ଷ୍ଟ୍ରାଇକ ରେଟରେ ୨୮୦ ରନ କରିଥିଲେ। ସେ ୨୦ଟି ଛକା ମଧ୍ୟ ମାରିଛନ୍ତି।
ତିଲକ ବର୍ମା ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପଛରେ ପକାଇ ୩ୟ ସ୍ଥାନରେ ରହିଛନ୍ତି ତିଲକ ବର୍ମା। ଚଳିତ ବର୍ଷ ଆରମ୍ଭରେ ସୂର୍ଯ୍ୟ କୁମାର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ୪ନଂକୁ ଖସି ଆସିଛନ୍ତି। ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଥିବାବେଳେ ଦ୍ବିତୀୟ ସ୍ଥାନରେ ଇଂଲଣ୍ଡର ଫିଲ ସଲ୍ଟ ରହିଛନ୍ତି।