Odisha Link
Bridging the Missing Links in Odisha

ରାଜ୍ୟ ରାଜନୀତିରେ ଗନ୍ଧମାର୍ଦ୍ଦନ ଜମି, ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଢିଛି ଗନ୍ଧମାର୍ଦ୍ଦନ ଜମି ବିବାଦ। ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି କିଣିଛି। ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍‌ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ’ ନାଁରେ ସେଠି ଜମି କିଣାଯାଇଛି। ଆଉ ଏହାକୁ ଏନେଇ ଏବେ ତେଜିଛି ରାଜନୀତି। ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଘେରିଥିବାବେଳେ, ପାଲଟା ଜବାବ ବି ଦେଇଛି ଭାରତୀୟ ଜନତା ପାର୍ଟି। ଗନ୍ଧମାର୍ଦ୍ଦନ ପାଇଁ କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗନ୍ଧମାର୍ଦ୍ଦନ ଜମି ପ୍ରସଙ୍ଗରେ ବିଜେଡିର ଅଭିଯୋଗ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗନ୍ଧମାର୍ଦ୍ଦନ ପାଇଁ କୌଣସି ଯୋଜନା ନାହିଁ। ବିଜେଡି ପାଖରେ ଦେବାଳିଆପଣର ବିକାଶ ହୋଇଛି। ୨୪ ବର୍ଷ ଶାସନରେ ଓଡ଼ିଶାକୁ ନିଜର ଜାଗିର୍ ଭାବିଥିଲେ। ଆଉ ଦଳେ ଅସାଧୁ `ମେରୀ ରାୟ’ ଶାସନ ଭାବିଥିଲେ।

ମହିଳାଙ୍କୁ ସଶକ୍ତ କରିଛୁ ବୋଲି ଖୋଲାଖୋଲି ପ୍ରଚାର କରୁଥିଲେ। ଅନୁଗୁଳରେ ୨୦୨୩-୨୪ରେ ୨୯୮ କୋଟି ଖର୍ଚ୍ଚ କରିଥିଲେ। ଗୋଟିଏ ଷ୍ଟ୍ରୋକରେ ଆମେ ୩୦୦ କୋଟି ସୁଭଦ୍ରା ଯୋଜନାରେ ଅଧିକ ଦେଲୁ। ବିଜେଡି ପାଖରେ ପ୍ରସଙ୍ଗ ନାହିଁ, ତାଙ୍କ ପୋଲ ଖୋଲିଲେ ଆହୁରି ବାହାରିବ। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ତାଙ୍କ ହତାଶାର ପରିଚୟ ବୋଲି କେନ୍ଦ୍ରମନ୍ତ୍ରୀ ବିଜେଡିକୁ କହିଛନ୍ତି।

ବିଜେଡି ବିଧାୟକ କଳିକେଶ ସିଂ ଦେଓ କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପାହାଡ଼ ପାଖରେ ଆଦାନୀ ଗ୍ରୁପ କେଉଁ ଉଦ୍ଦେଶ୍ୟରେ ଜମି କିଣିଛି ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ। ତେବେ ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଅଛି କି? ସେ ନେଇ ସରକାର ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହେବ ବୋଲି କଳିକେଶ କହିଥିଲେ।

ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ, ତେବେ ପ୍ରଥମ ଦିନରୁ ସରକାର ସ୍ପଷ୍ଟ କରିଥାନ୍ତେ। ଲୋକଙ୍କୁ ଦ୍ୱନ୍ଦରେ ପକାଇ ନଥାନ୍ତେ। ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ଗନ୍ଧମାର୍ଦ୍ଧନ ପାହାଡ଼ର ପବିତ୍ରତା ରହିଛି। ୧୯୮୦ ରେ ଗନ୍ଧମାର୍ଦ୍ଧନକୁ ନେଇ ବଡ ଆନ୍ଦୋଳନ ହୋଇଥିଲା।

ଲୋକଙ୍କ ଭାବାବେଗ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲେ ସରକାର ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ଅଛି। ଗନ୍ଧମାର୍ଦ୍ଦନକୁ ନେଇ ଲୋକଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଅଛି ବୋଲି ବିଜେଡି ବିଧାୟକ କଳିକେଶ ସିଂ ଦେଓ କହିଥିଲେ। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.