ପର୍ଥ ଟେଷ୍ଟ ପୂର୍ବରୁ ବୁମରାହଙ୍କ ରୌଦ୍ର ରୂପ, ଚୂଡ଼ାନ୍ତ ଏକାଦଶକୁ ନେଇ କହିଦେଲେ ବଡ଼କଥା
ଓଏଲ୍ ବ୍ୟୁରୋ: ଦିନକ ପରେ ମୁୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ମହାଶକ୍ତି। ଆସନ୍ତାକାଲିଠୁ ପର୍ଥରେ ଖେଳାଯିବ ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମ୍ୟାଚ୍। ଦୁଇ ଦେଶର ଅଧିନାୟକ ବି ଟ୍ରଫି ଉନ୍ମୋଚନ କରିଛନ୍ତି। ରୋହିତଙ୍କ ଅନୁୁପସ୍ଥିତିରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ବୁମରାହ। ଗୁରୁତ୍ବପୂର୍ଣ୍ଣ ମ୍ୟାଚର ଦିନକ ପୂର୍ବରୁ ଅଧିନାୟକ ଯଶପ୍ରୀତ ବୁମରାହ ସାମ୍ବାଦିକ ସମ୍ମିଳନୀରେ ଯୋାଗ ଦେଇ ଭିନ୍ନ ଭିନ୍ନ ପ୍ରଶ୍ନର ଉଉର ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିଜର ଚତୁରତା ଦେଖାଇଛନ୍ତି ବୁମରାହ। ସେ ସିଧାସଳଖ କହିଛନ୍ତି ଭାରତୀୟ ଦଳ ଭାରତରେ ସିରିଜ ହାରିଛି ସତ। ହେଲେ ତାର ବୋଝ ନେଇ ଆମେ ଅଷ୍ଟ୍ରେଲିଆ ଆସି ନାହୁଁ।
ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ବ ପାଇଥିବା ଯଶପ୍ରୀତ ବୁମରାହ କହିଛନ୍ତି, ଯେବେ ଆପଣ ବିଜୟୀ ହୁଅନ୍ତି ପୁଣି ଶୂନରୁ ଆରମ୍ଭ କରନ୍ତି। ହେଲେ ଯେବେ ହାରିଯାଆନ୍ତି, ତେବେ ମଧ୍ୟ ଶୂନରୁ ଆରମ୍ଭ କରିଥାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିବାର ବୋଝ ନେଇ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଆସି ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଆମେ ବହୁତ କିଛି ଶିଖିବାକୁ ପାଇଲୁ। ଏବେ ଅଷ୍ଟ୍ରେଲିିଆରେ କଣ୍ଡିସନ୍ ଅଲଗା। ଆଉ ଫଳାଫଳ ବି ନିଶ୍ଚୟ ଅଲଗା ମିଳିବ ବୋଲି କହିଛନ୍ତି ବୁମରାହ।
ସେ ଚୂଡ଼ାନ୍ତ ଏକାଦଶକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଟସ୍ ପଡ଼ିବା ସମୟରେ ହିଁ ଭାରରର ଚୂଡ଼ାନ୍ତ ଏକାଦଶର ଖୁଲାସା ହେବ। ଆମେ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରି ସାରିଛୁୁ। କାଲି ସକାଳୁ ଆପଣ ଜାଣି ପାରିବେ ବୋଲି ବୁମରାହ କହିଛନ୍ତି। ନିଜର ଅଧିନାୟକ ରୋଲକୁ ନେଇ କହିଛନ୍ତି ବୁମରାହ। ସେ କହିଛନ୍ତି, ମୋର ନିଜର ଶୈଳୀ ଅଛି। ବିରାଟ ଅଲଗା ଥିଲେ, ରୋହିତ ବି ଅଲଗା ଥିଲେ। ଆଉ ମୋର ନିଜର ତରିକା ଅଲଗା ବୋଲି ବୁମରାହ କହିଛନ୍ତି। ମୋ ପାଇଁ ଅଧିନାୟକ ଏକ କେବଳ ପଦ। ହେଲେ ଦଳ ପାଇଁ ଗୁରୁ ଦାୟିତ୍ବ ନେବାକୁ ମୁଁ ସବୁବେଳେ ପସନ୍ଦ ବୋଲି କହିଛନ୍ତି ବୁମରାହ।
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପ୍ରସ୍ତୁତିକୁ ନେଇ ବୁମରାହ କହିିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ପର୍ଥରେ ଜୋରଦାର ଅଭ୍ୟାସ କରିଛୁ। ଏବେ ଯୁୁବ ଖେଳାଳିଙ୍କୁ ଦାୟିତ୍ବ ନେବାର ସମୟ ଆସିଯାଇଛି ବୋଲି କହିଛନ୍ତି ବୁମରାହ। ବିରାଟ କୋହଲିଙ୍କୁ ନେଇ ବୁମରାହ କହିଛନ୍ତି ସେ ଆମ ପାଇଁ ଚମ୍ପିଆନ ଖେଳାଳି। ଗୋଟିଏ ଦୁଇଟି ମ୍ୟାଚରେ ଏପଟେ ସେପଟ ହୋଇଥିଲା। ତା ବୋଲି ନୁହେଁ ଯେ ବିରାଟଙ୍କ କନଫିଡେନ୍ସ କମି ଯାଇଛି। ବିରାଟଙ୍କ ନେତୃତ୍ବରେ ହିଁ ମୁଁ ଟେଷ୍ଟରେ ଡେବ୍ୟୁ କରିଥିଲି। ତାଙ୍କ ସହିତ କିଛି କଥା ହେବାର ଆବଶ୍ୟକତା ନାହିଁ। ତାଙ୍କୁ ଜଣା କେଉଁ ସମୟରେ କ’ଣ କରିବାକୁ ପଡ଼ିବ ବୋଲିିି କହିଛନ୍ତି ବୁମରାହ।