ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା: ବଡ଼ ଖୁଲାସା କଲେ ପୂର୍ବାଞ୍ଚଳ ଡିଆଇଜି
ଓଏଲ୍ ବ୍ୟୁରୋ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିତ୍ତରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ହତ୍ୟା ସନ୍ଦେହ କରାଯାଉଥିବାବେଳେ ପୂର୍ବାଞ୍ଚଳ ଡି.ଆଇ.ଜି. ସତ୍ୟଜିତ ନାୟକ ବଡ଼ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ସତ୍ୟଜିତ ନାୟକ କହିଛନ୍ତି, ବ୍ୟାବସାୟିକ ଶତ୍ରୁତାରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ସୁପରିକଳ୍ପିତ ଓ ସୁପାରୀ ଦେଇ କରାଯାଇଛି। ଅଢେଇ ଲକ୍ଷ ଟଙ୍କାର ସୁପାରୀରେ ଅଗ୍ରୀମ ୪୦ ହଜାର ଦିଆଯାଇଥିଲା।ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ଅଞ୍ଚଳର ବୋଲି ପୂର୍ବାଞ୍ଚଳ ଡି.ଆଇ.ଜି ସତ୍ୟଜିତ ନାୟକ କହିଛନ୍ତି।
ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତ (ନାଲୁ)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାନ୍ଧଗାଁ ରାସ୍ତା କଡ଼ ବିଲରେ ପଡିଥିବା ବୁଧବାର ସକାଳେ ଲୋକେ ଦେଖିଥିଲେ। ତାଙ୍କ ମୁଣ୍ଡରେ ୩ ଟି କ୍ଷତ ଥିବାରୁ ମରଣାସ୍ତ୍ରରେ ହାଣିଥିବା ସନ୍ଦେହ କରାଯାଉଥିଲା।
ମଙ୍ଗଳବାର ରାତିରେ ସେ ଏକ ଅଷ୍ଟମପ୍ରହରୀରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ରାତିରେ ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ତାଙ୍କଉ ଫୋନ କରିଥିଲେ କିନ୍ତୁ ମୋବାଇଲ ବନ୍ଦ ଥିଲା। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।