ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ବଡ଼ ମନ୍ତବ୍ୟ ଦେଲେ ପୁଲିସ ଡିଜି..
ଓଏଲ୍ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଡିଜି ୱାଇ.ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି।
ପୁଲିସ ଡିଜି କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ହେବା ପରେ ଫୋର୍ସ ମୁତୟନ ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଆଇନଶୃଙ୍ଖଳା ଏଡିଜି ଘଟଣାସ୍ଥଳରେ ଅଛନ୍ତି। ଘଟଣା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ବିଧାୟକ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ତୁରନ୍ତ ଏଠୁ ପଳା, ନହେଲେ ମାରିଦେବୁ ବୋଲି ସେମାନେ କହିଥିଲେ।
ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ସମର୍ଥକମାନେ ସେଠାରେ ପହଞ୍ଚିଛନ୍ତି। କାହିଁକି ତାଙ୍କ ଉପରକୁ ଆକ୍ରମଣ ହେଲା ବୋଲି ସେ ପ୍ରଶ୍ନ କରିବା ସହିତ ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ରାସ୍ତାରୁ ସେମାନେ ହଟିବେ ନାହିଁ କହିଛନ୍ତି ବିଜେପି କର୍ମୀ ଓ ସମର୍ଥକ।