ଭାରତୀୟ ପୁଞ୍ଜି ବଜାରରେ ବଡ଼ ହଲ୍ଚଲ୍, ନିବେଶକ ହରାଇଲେ କୋଟି କୋଟି ଟଙ୍କା
ଓଏଲ୍ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ବିଶ୍ବ ବଜାରର ଅସ୍ଥିରତାର ଛାପ। ତା ସଙ୍ଗକୁ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ଫଳରେ ଗୁରୁତର ପ୍ରଭାବିତ ହୋଇଛି ଭାରତୀୟ ସେୟାର ମାର୍କେଟ। ଗତ କିଛିଦିନ ହେବ ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବା ଯୋଗୁଁ ଭାରତୀୟ ସେୟାର ମାର୍କେଟ ପ୍ରଭାବିତ ହେଉଥିଲା। ହେଲେ ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନର ଏକଜିଟ୍ ପୋଲ ଓ ଗୌତମ ଆଦାନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଭାରତୀୟ ବଜାର ପୁଣି ଲାଲ ମାର୍କରେ କାରବାର କରୁଛି।
ଆମେରିକାରେ ଆଦାନୀଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଗୌତମ ଆଦାନୀ ତାଙ୍କ କମ୍ପାନୀର କଣ୍ଟ୍ରାକ୍ଟ କରାଇ ଦେବାକୁ ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ଭଳି ଅଭିଯୋଗ ଆସିଛ। ଆଦାନୀ ଗ୍ରୀନ୍ ଏନର୍ଜୀ କମ୍ପାନୀକୁ ଭାରତର ସବୁଠାରୁ ବଡ଼ ସୌର ଶକ୍ତି ଯୋଜନାର ପ୍ରୋଜେକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ମିଲିଅନ୍ ଡଲାର ବା ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ। ଏନେଇ ଆମେରିକାରୁ ଅଭିଯୋାଗ ଆସୁଛି।
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ ଏହି ଘଟଣାରେ ଗୌତମ ଆଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜୀ ଲିମିଟେଡର ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛି। ଏହି ଖବର ସାମ୍ନାକୁ ଆସିବା ପରେ ଆଜି ସକାଳୁ ଭାରତୀୟ ସେୟାର ବଜାରରେ ଝଡ଼ ସୃଷ୍ଟି ହୋଇଛି। ଆଜି ଆଦାନୀ କମ୍ପାନୀର ସବୁ ସେୟାର ଖସି ଯାଇଛି।
ଆଦାନୀ ଗ୍ରୁପର ସବୁ ସେୟାର ୨୦ ପ୍ରତିଶତ ଯାଏ ଖସିଛି। ଏନେଇ ଆଦାନୀ ଗ୍ରୁପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ମିଡିଆ ଷ୍ଟେଟମେଣ୍ଟ ଜାରି କରି ଅଭିଯୋଗକୁ ଖଣ୍ଡନ କରାଯିବା ସହ ସମସ୍ତ ପ୍ରକାର ଆଇନଗତ ସହାୟତା ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।