ପର୍ଥ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ, ଅଷ୍ଟ୍ରେଲିଆ ୬୭/ ୭
ଓଏଲ୍ ବ୍ୟୁରୋ: ସରିଲା ପର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ। ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ବିକେଟ ହରାଇ ୬୭ ରନ୍ କରିଛି। ଏବେବି ଭାରତଠୁ ୮୩ ରନରେ ପଛୁଆ ଅଛି ଅଷ୍ଟ୍ରେଲିଆ। ଭାରତ ପ୍ରଥମ ଇନିଂସରେ ୧୫୦ ରନ୍ ସ୍କୋର କରି ଅଲଆଉଟ ହୋାଇଥିଲା। ତାକୁ ପିଛା କରି ପ୍ରଥମ ଇନିଂସ୍ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ହେଲେ ଟିମ୍ ଇଣ୍ଡିଆର ପେସ୍ ବାହିନୀ ଆଗରେ ଫେଲ୍ ମାରିଥିଲା କଙ୍ଗାରୁ ବାହିନୀର ବ୍ୟାଟିଂ ଲାଇନ୍। ପ୍ରଥମ ଦିନରେ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁୁ ମିଳିଛି। ଗୋଟିଏ ଦିନରେ ୧୭ଟି ଓ୍ବିକେଟ ପତନ ହୋଇଛି।
ଟିମ୍ ଇଣ୍ଡିଆକୁ ୧୫୦ ରନ୍ରେ ଅଲଆଉଟ କରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା କଙ୍ଗାରୁ ବାହିନୀ। ଉସମାନ ଖଓ୍ବାଜା ଓ ନାଥନ ମ୍ୟାକ୍ସ୍ବିନୀ ଇନିଂସ୍ ଆରମ୍ଭ କରିଥିଲେ। ସ୍କୋର ୧୪ ରନ୍ ହୋଇଥିଲା ବେଳେ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ ଯଶପ୍ରୀତ ବୁମରାହ। ସେ ଯୁବ ଖେଳାଳି ନାଥନଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ। ପରେ ଅଷ୍ଟ୍ରେଲିଆର ସ୍କୋର ୧୯ ରନ୍ ହୋଇଥିବା ବେଳେ ବୁମରାହ ବ୍ୟାକ ଟୁ ବ୍ୟାକ୍ ୨ଟି ଓ୍ବିକେଟ ନେଇ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କାରଣ ଦଳର ଷ୍ଟାର ଖେଳାଳି ଉସମାନ ଓ ଷ୍ଟିଭ ସ୍ମିଥ ସଅଳ ପ୍ୟାଭିଲିଅନ୍ ଫେରିଥିଲେ। ସ୍ମିଥ ୧୦ ବର୍ଷ ପରେ ପ୍ରଥମ ବଲରେ ହିଁ ଆଉଟ୍ ହୋଇଛନ୍ତି। ପରେ ନିୟମିତ ବ୍ୟବଧାନରେ ଅଷ୍ଟ୍ରେଲିଆ ଦଳ ଓ୍ବିକେଟ ହରାଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ୬୭ ରନ୍ କରିଛି। ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ସିରାଜ ୨ଟି ଓ ଡେବ୍ୟୁଟାଣ୍ଟ ହର୍ଷିତ ରାଣା ଗୋଟିଏ ଓ୍ବିିକେଟ ନେଇଛନ୍ତି।
ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ଅନୁପସ୍ଥିତିରେ ଯଶ୍ବସୀ ଜୟଶଓ୍ବାଲଙ୍କ ସହିତ ଇନିଂସ୍ ଓପନ କରିଥିଲେ କେଏଲ ରାହୁଲ। ହେଲେ ଦଳୀୟ ସ୍କୋର ୫ ରନ୍ ହୋଇଥିବା ବେଳେ ଭାରତକୁ ଲାଗିଥିଲା ପ୍ରଥମ ଝଟକା। ଜୟଶଓ୍ବାଲ ଶୂନ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ତାପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ଖେଳାଳି ଦେବଦତ୍ତ ପାଡ଼ିକଲ ବି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ଯାହାଫଳରେ ଭାରତୀୟ ୧୪ ରନ୍ରେ ୨ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ପରେ ପରେ କ୍ରିଜ୍କୁ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ ହେଁ ବିଶେଷ କିଛି କରି ପାରିନଥିଲେ। ବିରାଟ ମାତ୍ର ୫ ରନ୍ ସ୍କୋର କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ ଋଷଭ ପନ୍ତ ରାହୁୁଲଙ୍କ ସହିତ ମିଶି ଦଳୀୟ ସ୍କୋର ଆଗକୁ ନେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଫର୍ମରେ ନଜର ଆସୁଥିବା ରାହୁଲ (୨୬ ରନ୍) ବିବାଦୀୟ ଢଙ୍ଗରେ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ୪୭ ରନ୍ରେ ଭାରତୀୟ ଦଳ ୪ ଓ୍ବିକେଟ ହରାଇଥିଲା। ପରେ ଧ୍ରୁବ ଜୁରେଲ ବ୍ୟାଟିଂ କରିବାକୁ ଆସଥିଲେ। ମାତ୍ର ୧୧ ରନ୍ କରି ପ୍ୟାଭିଲଇଅନ୍ ଆସିଥିଲେ। ପରେ ଓ୍ବାଶିଂଟନ୍ ସୁନ୍ଦର ମାତ୍ର ୪ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ କ୍ରିଜରେ ପନ୍ତଙ୍କ ସାଥ ଦେବା ପାଇଁ ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ ଆସଥିଲେ।
ଦୁହେଁ ମିଶି ଦଳୀୟ ସ୍କୋର ୧୦୦ ପାର କରିଥିଲେ। ଦୁହେଁ ୪୮ ରନର ପାର୍ଟନରସିପ୍ ଇନିଂସ୍ ଖେଳିଥିଲେ। ଦଳୀୟ ସ୍କୋାର ୧୨୧ ରନ୍ ହୋଇଥିବା ବେଳେ ଋଷଭ ପନ୍ତଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ। ପରେ ପରେ ହର୍ଷିତ ରାଣା ଆଉଟ୍ ହୋଇଥିଲେ। ପରେ ଅଧିନାୟକ ବୁମରାହ ମଧ୍ୟ ପ୍ୟାଭିଲିଅନ୍ ଫେରିଥିଲେ। ନୀତିଶ କିଛି ଦମଦାର ସଟ୍ ଖେଳି ଭାରତୀୟ ଦଳର ସ୍କୋର ୧୫୦ରେ ପହଁଞ୍ଚାଇଥିଲେ। ୪୧ ରନ୍ କରି ନୀତିଶ ଆଉଟ ହେବା ଫଳରେ ଭାରତୀୟ ଦଳ ୧୫୦ ରନ୍ ସ୍କୋରରେ ଅଲଆଉଟ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମିଚେଏ ଷ୍ଟ୍ରାର୍କ, ମିଚେଲ ମାର୍ଶ ଓ ପ୍ୟାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।