ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ବଦଳିଲା ଗଣିତ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ଲୋକସଭା ନିର୍ବାଚନ ପରେ ଭାରତୀୟ ରାଜନୀତିରେ ନଭେମ୍ବର ୨୩ ତାରିଖ ସବୁୁଠୁ ଗୁରୁତ୍ବପୂର୍ଣ୍ଣ। କାରଣ ଆଜି ୪୧୯ଟି ଆସନର ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନର ଫଳାଫଳ ଆଜି ପ୍ରକାଶ ପାଇବାକୁ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ଆସନର ଫଳାଫଳ ପ୍ରକାଶ ପାଇବ। ସେହିପରି ୪୮ଟି ବିଧାନସଭା ଓ ୨ଟି ଲୋକସଭା ଆସନରେ ହେଉଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇସାରିଥିବା ବେଳେ ଆଉ କିଛି ସମୟ ପରେ ସ୍ପଷ୍ଟ ଜନାଦେଶ ସାମ୍ନାକୁ ଆସିବ। ସବୁଠୁ ବଡ଼କଥା ହେଲା ୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ୪୧୯ଟି ଆସନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ମହରାଷ୍ଟ୍ରରେ ପୁଣି ଆସିବ ମହାୟୁତି ସରକାର। କାରଣ ଦିନ ୧୧ଟା ସୁସଦ୍ଧା ମହାୟୁତି ୨୨୦ଟି ଆସନରେ ଆଗୁଆ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୦ଟିରେ ଶାସକ ମହାୟୁତି ଆଗୁଆ ରହିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କେବଳ ଭାରତୀୟ ଜନତା ପାର୍ଟି ୧୩୫ ଟି ଆସନରେ ଆଗୁଆ ରହିଛି। ସେହିପରି ୪୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି।
ଅପରପକ୍ଷେ ଝାଡ଼ଖଣ୍ଡରେ ଗଣିତ ବଦଳିଛି। ଏନଡିଏକୁ ପଛରେ ପକେଇ ଆଗକୁ ବଢିଲା ଇଣ୍ଡି ମେଣ୍ଟ। ତେବେ ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମିଶି ନିର୍ବାଚନ ଲଢୁଛନ୍ତି। ଆଉ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଦଳ ବିଜେପିକୁ ପଛରେ ପକାଇଛି। ଦିନ ସାଢେ ୧୦ଟା ସୁଦ୍ଧା ଝାଡଖଣ୍ଡରେ ୪୬ ଆସନରେ ଆଗୁଆ ରହିଛି ଇଣ୍ଡି ମେଣ୍ଟ। ତେବେ ଏଠାରେ ବହୁମତ ପାଇଁ ୪୨ ଆସନ ଆବଶ୍ୟକ ଥିବାବେଳେ, ବହୁମତଠାରୁ ଆଗରେ ରହିଛି ଇଣ୍ଡି ମେଣ୍ଟ।