ଏକାଠି ବସି ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଜଣାଇଲେ ସିନ୍ଦେ, ଫଡନାଭିସ ଓ ପାଓ୍ବାର
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ବାଜି ମାରିଛି ମହାୟୁତି। ବିଜେପି ନେତୃତ୍ବାଧୀନ ମହାୟୁତିକୁ ମିଳିଛି ବହୁୁମତ। ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାଓ୍ବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବା ସହ ପରଷ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଜିତ ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ରାଜ୍ୟର ବିକାଶ ପାଇଁ ମହାୟୁତିକୁ ସମର୍ଥନ ଦେଇଛନ୍ତି। ତେବେ ଏସବୁ ମଧ୍ୟରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।
ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ ଚର୍ଚ୍ଚା ଭିତରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଆମ ସରକାର କମନମ୍ୟାନ୍ଙ୍କ ସରକାର। ଆମେ କମନମ୍ୟାନ୍ଙ୍କୁ ସୁପରମ୍ୟାନ୍ରେ ପରିଣତ କରିବାକୁ ଚାହୁଁଛୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅକୁଣ୍ଠ ସହାୟତା ଲାଗି ଧନ୍ୟବାଦ। ଆମ ପାଇଁ ମହିଳା, ଶିଶୁ ଏବଂ କୃଷକଙ୍କ କଲ୍ୟାଣ ଗୁରୁତ୍ବପୂର୍ଣ୍ଣ। ମୋ ପାଇଁ ସିଏମର ଅର୍ଥ ଚିଫ୍ ମିନିଷ୍ଟର (ମୁଖ୍ୟମନ୍ତ୍ରୀ) ନୁହେଁ କମନମ୍ୟାନ୍ ବୋଲି କହିଛନ୍ତି ଏକନାଥ ସିନ୍ଦେ।
୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ଆସନ ଜିତିବାକୁ ଯାଉଛି। କିନ୍ତୁ ଦଳ ଏକାକୀ ମ୍ୟାଜିକ ନମ୍ବର ୧୪୫ ହାସଲ କରିପାରିବ ନାହିଁ। ତଥାପି ବିଜେପି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ତେଣୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
ଦେବେନ୍ଦ୍ର ଫଡନାଭିସ କହିଛନ୍ତି, “ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ କୌଣସି ପ୍ରକାରର ବିବାଦ ନାହିଁ। ପ୍ରଥମ ଦିନରୁ ନିଷ୍ପତ୍ତି ହୋଇସାରିଛି ଯେ ନିର୍ବାଚନ ପରେ ମେଣ୍ଟରେ ଥିବା ୩ ଦଳ ମିଳିତ ଭାବେ ବୈଠକ କରିବେ ଓ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଏହି ନିଷ୍ପତ୍ତିକୁ ସମସ୍ତେ ମାନିବେ। ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ।