ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନରେନ୍ଦ୍ର ମୋଦି ଓଡ଼ିଆରେ ଭାଷଣ ଦେବା ସହିତ ଡ଼ିଶାର ସଂସ୍କୃତି-ପରମ୍ପରାକୁ ପ୍ରଶଂସା କରିବା ସହ ସନ୍ଥ କବି ଭୀମ ଭୋଇଙ୍କୁ ମନେ ପକାଇଛନ୍ତି। ଭକ୍ତ ସାଲବେଗ, ଜଗନ୍ନାଥ ଦାସ ଆଦିଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଓଡ଼ିଶା ପର୍ବକୁ ଆସି ମୁଁ ଖୁବ୍ ଗର୍ବିତ। ଓଡ଼ିଶା ଆରମ୍ଭରୁ ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ। ଭୀମ ଭୋଇ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଏହା ହିଁ ଓଡ଼ିଶାର ସଂସ୍କୃତି। ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରମାନଙ୍କ ଅବଦାନ ଅତୁଳନୀୟ। ପାଇକ ବିଦ୍ରୋହ ଏହାର ଏକ ଉଦାହରଣ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଗର୍ବର ବିଷୟ। ଓଡ଼ିଶାର ମହିଳାମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶା ସବୁବେଳେ ମାନବ ସମାଜର ସେବା କରିଆସିଛି। ପୂର୍ବରୁ ଭାରତର ପୂର୍ବ ଭାଗକୁ ପଛୁଆ ଅଂଚଳ କୁହାଯାଉଥିଲା। ହେଲେ ଏବେ କେନ୍ଦ୍ର ସରକାର ବିକାଶ ପାଇଁ ପୂର୍ବ ଭାରତକୁ ବିକାଶର ଇଞ୍ଜିନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବର କେନ୍ଦ୍ର ସରକାର ତୁଳନାରେ ତାଙ୍କ ସରକାର ଓଡ଼ିଶାକୁ ଅନୁଦାନ ବଢ଼ାଇଥିବା ସେ କହିଛନ୍ତି। ଓଡ଼ିଶା ଧୀରେଧୀରେ ଆଗକୁ ବଢ଼ୁଛି। ଓଡ଼ିଶା ପାଖରେ ଏବେ ଭିଜନ ବି ଅଛି, ରୋଡ ମ୍ୟାପ୍ ଅଛି। ଓଡ଼ିଶାର ସାମର୍ଥ୍ୟକୁ ଉପଯୋଗ କରି ଏହାକୁ ବିକାଶର ଶିଖରରେ ପହଞ୍ଚାଯାଇପାରେ ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି, ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରା ଯାଉଥିଲା। ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କଲି। ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶା ହେଉଛି ମାଇନିଂ ଓ ମେଟାଲ୍ ପାୱାର ହବ୍। ପୂର୍ବରୁ ଓଡ଼ିଶା ପର୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସାମିଲ ହୋଇଥିଲେ।