Odisha Link
Bridging the Missing Links in Odisha

ଏଥର ୭ଟି ସ୍ଥାନରେ ପ୍ରକୃତିର ନିଆରା ଅନୁଭୂତି ସାଉଁଟିବେ ପର୍ଯ୍ୟଟକ

ଓଏଲ‌ ବ୍ୟୁରୋ: ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍‌ ୭ଟି ସ୍ଥାନରେ ଆରମ୍ଭ କରାଯିବ।ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟ୍‌ର ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏହା ତିନି ମାସ ପର୍ଯ୍ୟନ୍ତ ଚାଲିବ। ଏଥିନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଗତ ସୋମବାର ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ କିଭଳି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରାଯାଇ ପାରିବ ତା’ ଉପରେ ସେ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ପ୍ରଚାର ପ୍ରସାରକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ।

ବେଳାଭୂମିରେ ୭୦ଟି ତମ୍ବୁ ଘର ନିର୍ମାଣ  ଶେଷ ପର୍ଯ୍ୟାୟରେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ  କଲା ଭଳି ବଡ଼ ବଡ଼ ତୋରଣ, ସେଲ୍‌ଫି  ପଏଣ୍ଟ, କନଫରେନ୍‌ସ ଓ ରିସେପସନ୍‌ ପାଇଁ  ଦୁଇଟି ବଡ଼ ହଲ୍‌, ପାନୀୟ ଜଳ ବ୍ୟବସ୍ଥା,  ବିଦ୍ୟୁତ୍‌ ସଂଯୋଗ ଆଦି କାର୍ଯ୍ୟ ଚାଲୁ ରହିଛି।ତମ୍ବୁ ଘରେ ତାରକା ହୋଟେଲ୍‌ ଭଳି ସମସ୍ତ  ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି  ଦିଆଯିବ। ୬ଟି ପ୍ରେସିଡେନ୍‌ସିଆଲ୍‌ ଓ ୧୨ଟି  ପ୍ରିମିୟମ୍‌ ତମ୍ବୁ ଘରେ ତାରକା ହୋଟେଲ୍‌ ଭଳି  ସମସ୍ତ ସୁବିଧା ଉପଲବ୍ଧ ହେବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି  ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ  କରିବେ । ଏହା ବ୍ୟତୀତ ବିଚ୍‌ ବାର୍‌,  ଜଳକ୍ରୀଡ଼ା, ପାରାସେଲିଙ୍ଗ, ସଂଗୀତ ଓ  ଯୋଗଭିତ୍ତିକ କାର୍ଯ୍ୟକ୍ରମ ହେବ।

ଇକୋ ରିଟ୍ରିଟ୍‌ ମାଧ୍ୟମରେ ପର୍ଯ୍ୟଟକ ପ୍ରକୃତିର ନିଆରା ଅନୁଭୂତି ସାଉଁଟିବେ। ସେସବୁ ସ୍ଥାନରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ଇକୋ ରିଟ୍ରିଟ୍‌ ପାଇଁ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ ହୋଇଛି। ପର୍ଯ୍ୟଟନ ଋତୁକୁ ଆଖିଆଗରେ ରଖି ଚଳିତ ବର୍ଷ ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ, ବିଳାସପୂର୍ଣ୍ଣ ରହଣି ସହ ମନୋରଞ୍ଜନର ସୁଯୋଗ ମିଳିବ। ଘଞ୍ଚବଣ ଜଙ୍ଗଲରେ ପର୍ଯ୍ୟଟକ ବୁଲାବୁଲି କରିବା ସହ ନାଚଗୀତ ସାଙ୍ଗକୁ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖିବାର ସୁଯୋଗ ପାଇବେ।

ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍‌ରେ ଇକୋ ରିଟ୍ରିଟ୍‌ କରାଯିବ ବୋଲି ଯୁଗ୍ମ ସଚିବ ରୁଦ୍ରନାରାୟଣ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.