ପର୍ଥରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ
ଓଏଲ୍ ବ୍ୟୁରୋ: ନିଜେ ରଚିଥିବା ଚକ୍ରବ୍ୟୁହରେ ଫସିଲା କଙ୍ଗାରୁ ବାହିନୀ। ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମ୍ୟାଚ ଜିତିଲା ଭାରତ। ପର୍ଥ ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କ୍ଷେତ୍ରରେ ଅଲରାଉଣ୍ଟର ପ୍ରଦର୍ଶନ କରି ବିଜୟୀ ହୋଇଛି ଭାରତ। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ। ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରାହ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ଇନିଂସରେ ବୁମରାହ ୮ ଓ୍ବିକେଟ ନେଇଛନ୍ତି।
ଟିମ୍ ଇଣ୍ଡିଆର ଏହି ମହାବିଜୟ ୪୭ ବର୍ଷର ତଳରେ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆ ମାଟରେ ଭାରତୀୟ ଦଳ ୧୯୭୭ ମସିହାରେ ମେଲବର୍ଣ୍ଣ ଟେଷ୍ଟକୁ ୨୨୨ ରନରେ ଜିତି ଇତିହାସ ରଚିଥିଲା। ହେଲେ ଆଜି ପର୍ଥ ଟେଷ୍ଟକୁ ୨୯୫ ରନରେ ଜିତି ଟେଷ୍ଟ କ୍ରିକେଟରେ ଭାରତୀୟ ଦଳ ବିରାଟ ବିଜୟ ହାସଲ କରିଛି। ଏଥିସହିତ ପର୍ଥର ଅପଟସ୍ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ହାରିଛି ଅଷ୍ଟ୍ରେଲିଆ। ପର୍ଥ ଟେଷ୍ଟ ବିଜୟ ପରେ ଭାରତୀୟ ଦଳ ପୁଣିଥରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ର ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି। ସିରିଜ ଆରମ୍ଭରୁ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିଲା।
ଟିମ୍ ଇଣ୍ଡିଆର ଅଧିନାୟ ଯଶପ୍ରୀତ ବୁମରାହ ଟସ୍ ଜିତି ପ୍ରଥମେ ବ୍ୟାଟିିଂ ନିଷ୍ପତ୍ତି ନେଇଥିଲେ। କଙ୍ଗାରୁ ବାହିନୀ ଶାଣିତ ବୋଲିଂ ଆଗରେ ଫେଲ୍ ମାରିଥିଲା ଭାରତୀୟ ବ୍ୟାଟିଂ ଅର୍ଡର। ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଥିଲା ଭାରତ। ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଭାରତୀୟ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଥିଲା କଙ୍ଗାରୁ ବାହିନୀ। ଯଶପ୍ରୀତ ବୁମରାହଙ୍କ ଫ୍ଲିପର ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୧୦୪ ରନ୍ରେ ଅଲଆଉଟ୍ କରିଥିଲା।
ପରେ ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସ୍ରେ ଯଶ୍ବସୀ ଜୟଶଓ୍ବାଲ ଓ ବିରାଟ କୋହଲିଙ୍କ ଶତକୀୟ ଇନିଂସ୍ ବଳରେ ୪୮୭ ରନର ବିଶାଳ ସ୍କୋର କରିଥିଲା। ଯାହାଫଳରେ ଅଷ୍ଟ୍ରେଲିଆ ଆଗରେ ୫୪୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ଦ୍ବିତୀୟ ଇନିଂସ୍ର ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ସ୍ଅଳ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଟ୍ରାଭିସ ହେଡ ଓ ମିଚେଲ ମାର୍ଶ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କ ଧୁଲାଇ କରିଥିଲେ। ହେଲେ ବୁମରାହ ହେଡଙ୍କୁ ପ୍ୟାଭିଲିଅନ ପଠାଇ ଭାରତର ବିଜୟକୁ ଆହୁରି ସହଜ କରିଥିଲେ।