Odisha Link
Bridging the Missing Links in Odisha

ଆଇପିଏଲ ୨୦୨୫: ୧୦ ଦଳ ଖର୍ଚ୍ଚ କଲେ ୬୩୯.୧୫ କୋଟି, ବିକ୍ରି ହେଲେନି ଏହି ଷ୍ଟାର ଖେଳାଳି

ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ ନିଲାମୀ ପ୍ରକ୍ରିୟା। ମେଗା ନିିଲାମିରେ ୧୮୨ ଜଣ ଖେଳାଳି ବିକ୍ରି ହୋଇଛନ୍ତି। ସେ ମଧ୍ୟରେ ୬୨ ଜଣ ବିିଦେଶୀ ଖେଳାଳି ରହିଛନ୍ତି। ଚଳିତଥର ୮ଥର ରାଇଟ୍‌ ଟୁ ମ୍ୟାଚ୍‌ ବ୍ୟବହାର କରାଯାଇଥିବା ବେଳେ ୧୦ଟି ଫ୍ରାଞ୍ଚାଇଜ ୬୩୯.୧୫ କୋଟି ଖର୍ଚ୍ଚ କରିଛନ୍ତି। ଚଳିତ ଆଇପିଏଲ ନିଲାମିରେ କିଏ ହିରୋ ହୋଇଥିବା ବେଳେ ଆଉ କିଛି ଖେଳାଳି ଜିରୋ ହୋଇଛନ୍ତି।

ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ୨୭ କୋଟି ଟଙ୍କାରେ କିଣିଛି। ଅନ୍ୟପଟେ ୧୩ ବର୍ଷିୟ ବିହାରର ବାମହାତୀ ବ୍ୟାଟସମ୍ୟାନ୍‌ ବୈଭବ ସୂୂର୍ଯ୍ୟବଂଶୀ ଆଇପିଏଲର ସବୁଠାରୁ ଯୁବ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ନିକଟରେ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଶତକ ଲଗାଇ ଚର୍ଚ୍ଚାରେ ଥିଲେ। ସେହିପରି ଭେଙ୍କଟେଶ ଆୟର ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଅଲରାଉଣ୍ଡର ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ କିଣିଛି।

କିଛି ଖେଳାଳି ଚଳିତ ଆଇପିଏଲ ନିଲାମିରେ ହିରୋ ହୋଇଥିବା ବେଳେ ଆଉ କିଛି ଷ୍ଟାର ଖେଳାଳି ଚଳିତ ଆଇପିଏଲ ନିଲାମିରେ ଜିରୋ ହୋଇଛନ୍ତି। ଏକଦା କେବଳ ବିଶ୍ବ କ୍ରିକେଟରେ ନୁହେଁ ଆଇପିଏଲରେ ନିଜର କାୟା ବିସ୍ତାର କରିଥିବା ଖେଳାଳି ଚଳିତଥର ଆଇପିଏଲ ନିଲାମିରେ ବିକ୍ରି ହୋଇନାହାନ୍ତି। ଅର୍ଥାତ୍‌ ୧୦ଟି ଫ୍ରାଞ୍ଚାଇଜ ପକ୍ଷରୁ କେହି ବି ଆଗ୍ରହ ପ୍ରକାଶ କରିନଥିଲେ। ସେହି ଚର୍ଚ୍ଚିତ ତାଲିକାରେ ଡେଭିଡ ଓ୍ବାର୍ଣ୍ଣର, କେନ୍‌ ଓ୍ବିଲିୟମସନ୍, ଶାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରଓ୍ବାଲ, ଜନି ବେୟାରଷ୍ଟା, ପୃଥ୍ବୀ ଶ’, ଜେମ୍ସ ଆଣ୍ଡରସନ୍‌, ସରଫରାଜ ଖାନଙ୍କ ଭଳି ଷ୍ଟାର ଖେଳାଳିଙ୍କୁୁ ଚଳିତତର କୌଣସି ଦଳ କିିଣି ନାହାନ୍ତି।

ସନରାଇଜର୍ସ ହାଇଦ୍ରାବାଦ୍‌ର ଭେଟେରାନ୍‌ ବୋଲର ଭୁବନେଶ୍ବର କୁମାରଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ‌ଏଲ୍‌ଏସ୍‌ଜି ଲଢ଼ିଥିଲେ। ଏଲ୍‌ଏସ୍‌ଜି ୧୦.୨୫ କୋଟିରେ ତାଙ୍କୁ ଦଳରେ ସାମିଲ କରିବାକୁ ଯାଉଥିବା ବେଳେ ଶେଷ ମୁହୂର୍ତ୍ତରେ ହଠାତ୍‌ ଆର୍‌ସିବି ୧୦.୭୫ କୋଟି ଟଙ୍କା ନିଲାମ ଡାକିବାରୁ ଗୋଏଙ୍କାଙ୍କ ଦମ୍‌ ସେତିକିରେ ଶେଷ ହୋଇଥିଲା। ଠିକ୍‌ ସେମିତି ସିଏସ୍‌କେର ଅନ୍ୟତମ ପ୍ରମୁଖ ବୋଲର ଦୀପକ ଚହରଙ୍କୁ ନେବା ପାଇଁ ମୁମ୍ବାଇ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ୨ କୋଟି ମୂଳ ଦରରୁ ତାଙ୍କ ମୂଲ୍ୟ ୭.୭୫ କୋଟି ପହଞ୍ଚିବା ପରେ ପଞ୍ଜାବ ହଟିଯାଇଥିଲା ଓ ସିଏସ୍‌କେ ୮ କୋଟିରେ ପ୍ରବେଶ କରିଥିଲା। ତଥାପି ମୁମ୍ବାଇ ୯.୨୫ କୋଟି ଟଙ୍କାରେ ଦୀପକଙ୍କୁ ଦଳରେ ନେବାରେ ସଫଳ ହୋଇଥିଲା। ସବୁଠୁ ବଡ଼ ରୋମାଞ୍ଚକ ଘଟଣା ଘଟିଥିଲା ଆଫଗାନିସ୍ତାନର ରହସ୍ୟମୟୀ ସ୍ପିନର ଆଲ୍ଲା ଘଜନଫର୍‌ଙ୍କ କ୍ଷେତ୍ରରେ। ୭୫ ଲକ୍ଷ ମୂଳ ଦର ଥିବା ବେଳେ କେକେଆର୍‌ ପ୍ରଥମ ‌ନିଲାମ ଡାକିଥିଲା।

Leave A Reply

Your email address will not be published.