ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ
ଓଏଲ୍ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି।
ଶୋକ ପ୍ରସ୍ତାବ ନେଇ ସମବେଦନା ଜଣାଇବା ପରେ ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଉତ୍ତର ରଖିବା ବେଳେ ବିରୋଧୀଙ୍କ ହୋହଲ୍ଲା କାରଣରୁ ଗୃହ ୧୨.୨୫ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। କନ୍ଧମାଳ ଆମ୍ବ ଟାକୁଆ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସଦସ୍ୟ ହଙ୍ଗାମା ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖାଯାଇଛି।