ସମ୍ବିଧାନ ଦିବସ: ଉନ୍ମୋଚିତ ହେବ ୨ ପୁସ୍ତକ, ମୁଦ୍ରା ଓ ଡାକ ଟିକଟ
ଆଜି ଦେଶ ପାଳୁଛି ସମ୍ବିଧାନ ଦିବସ

ଓଏଲ୍ ବ୍ୟୁରୋ: ଆଜି ପୁରା ଦେଶ ପାଳୁଛି ୭୫ତମ ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।
ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ ।
ଏହି ଅବସରରେ ଆଜି ସଂସଦରେ ଏକ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମରେ ଏକ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ଜାରି କରାଯିବ। ଏଥିସହ କିଛି ପୁସ୍ତକର ମଧ୍ୟ ଉନ୍ମୋଚନ କରାଯିବ। ଏହା ସହିତ ସମ୍ବିଧାନର ସଂସ୍କୃତ ଏବଂ ମୈଥୀଲି ସଂସ୍କରଣ ବିଧାନସଭାର କେନ୍ଦ୍ରୀୟ ହଲରେ ପ୍ରକାଶ ପାଇବ।
ସେପଟେ ସମ୍ବିଧାନ ଗୃହର ସେଣ୍ଟ୍ରାଲ୍ ହଲ୍ ରେ ମଧ୍ୟ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ୱାଗତ ଭାଷଣ ପ୍ରଦାନ କରିବେ। ଏହି ଅବସରରେ ଭାରତୀୟ ସମ୍ବିଧାନର ଗୌରବ, ଏହାର ସୃଷ୍ଟି ଏବଂ ଐତିହାସିକ ଯାତ୍ରାକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ମନ୍ତ୍ରୀ, ସଂସଦର ସଦସ୍ୟ, ଦିଲ୍ଲୀ ଭିତ୍ତିକ ମିଶନର ମୁଖ୍ୟ ତଥା ଅନ୍ୟମାନେ ଉପସ୍ଥିତ ରହିବେ । ଏହି ବିଶେଷ ଉତ୍ସବରେ ଦୁଇଟି ପୁସ୍ତକ ପ୍ରକାଶ ପାଇବ। ପ୍ରଥମଟି ହେଉଛି ‘ଭାରତରେ ସମ୍ବିଧାନର ନିର୍ଣ୍ଣୟର ଏକ ଝଲକ’ ଏବଂ ଦ୍ଵିତୀୟଟି ହେଉଛି ‘ଭାରତ ସମ୍ବିଧାନର ନିର୍ଣ୍ଣୟ ଏବଂ ଏହାର ଗୌରବମୟ ଯାତ୍ରା’ ।