ଡିସେମ୍ବର ୪ରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ, ଆଜି ବସିବ ଛତିଶା ନିଯୋଗ ବୈଠକ
ଓଏଲ୍ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତା ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ପ୍ରକାଶିତ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଆସନ୍ତା ୪ତାରିଖ ଦିନ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ରହିଥିବା ବେଳେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚନା କରିବାର କାର୍ଯ୍ୟକ୍ରମ ଅଛି। ତେବେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ କରାଯିବ ସେନେଇ ସବିଶେଷ ଆଲୋଚନା କରାଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।