ମହିଳାଙ୍କ ପାଇଁ ଖୁସି ଖବର: ପୁଣି ୫ ହଜାର ଟଙ୍କା ଦେବେ ସରକାର
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ରବିବାର ସୁନ୍ଦରଗଡ଼ରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରିବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ରୁ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ମାର୍ଚ୍ଚ ୭ରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ। ପଞ୍ଜୀକରଣ କଲେ ଫେବ୍ରୁଆରିରେ ବି ଟଙ୍କା ମିଳିବ। ୨ ଲକ୍ଷ ୬୭ ହଜାର ହିତାଧିକାରୀ ବାଦ୍ ପଡ଼ିଥିଲେ। ବାଦ୍ ହିତାଧିକାରୀଙ୍କ ରିଭ୍ୟୁ ଚାଲିଛି, ୨୨% କାମ ସରିଛି।
ସୂଚନା ଅନୁସାରେ, ରବିବାର ସୁନ୍ଦରଗଡ଼ରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ‘ସୁଭଦ୍ରା’ରେ ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଥିବା ବେଳେ ସୁନ୍ଦରଗଡ଼ର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଅଧିକ ମହିଳା ପ୍ରଥମ କିସ୍ତି ସହାୟତା ପାଇଛନ୍ତି।