ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖୁଲାସା କଲେ ଏକନାଥ ସିନ୍ଦେ
![](https://www.odishalink.com/wp-content/uploads/2024/11/Maharastra-Politics-750x430.jpg)
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ମହାନାଟକ ଦେଖିବାକୁ ମିଳିଛି। କ୍ଷମତାର ଛକି ଶୂନର ଖେଳରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଗାଦିରେ ଏକନାଥ ସିନ୍ଦେ ବସିବେ ନା ଦେବେନ୍ଦ୍ର ଫଡନାଭିସ୍ ବସିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ରେସ୍ରେ ଏହି ଦୁଇ ନେତାଙ୍କ ନାମ ଆଗରେ ରହିଛି। ଏସବୁ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଏକନାଥ ସିନ୍ଦେ।
ଏକନାଥ ସିନ୍ଦେ ସ୍ବାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି ମହାୟୁତି ମେଣ୍ଟ ପାଇଁ ଜଣେ ସାଧାରଣ କର୍ମୀ ଭାବେ ସେ ନିର୍ବାଚନ ପ୍ରଚାର କରିଛନ୍ତି। ନିଜକୁ କେବେ ମୁଖ୍ୟମନ୍ତ୍ରୀ ବୋଲି ଭାବିନାହିଁ। ସିଏମ ଅର୍ଥ ହେଉଛି ‘କମନ ମ୍ୟାନ’। ଏହି ଚିନ୍ତାଧାରା ରଖି ସେ ମେଣ୍ଟ ପାଇଁ କାମ କରିଛନ୍ତି। ଆମେ ଲୋକଙ୍କ ପାଇଁ କାମ କରିବା ଉଚିତ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ସମର୍ଥନ କରିଥିଲେ। ସେଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଜଣାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ମହାୟୁତି ମେଣ୍ଟ ମହାରାଷ୍ଟ୍ରକୁ ୬ ମାସ ମଧ୍ୟରେ ୩ୟ ସ୍ଥାନରୁ ପ୍ରଥମ ସ୍ଥାନକୁ ନେଇଥିଲା ବୋଲି ସିନ୍ଦେ କହିଛନ୍ତି।
ସେ ଆହୁରି କହିଛନ୍ତି, ସେତେବେଳେ କେନ୍ଦ୍ର ସରକାରଙ୍କଠାରୁ ସେ ବହୁତ ସମର୍ଥନ ପାଇଥିଲେ। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଫୋନ ଜରିଆରେ କଥା ହୋଇଛନ୍ତି। ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ପାଇଁ ଯାହା ମଙ୍ଗଳ ହେବ ସେ ଦିଗରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ ଆଶା ରଖିଥିବା ସିନ୍ଦେ କହିଛନ୍ତି।