ପୁରସ୍କୃତ ହେଲା ଓଡ଼ିଶା ପାଭିଲିୟନ୍
ବେଷ୍ଟ ଥେମାଟିକ୍ କ୍ୟାଟୋଗୋରୀରେ ମିଳିଲା ରୌପ୍ୟ ପଦକ
ଓଏଲ୍ ବ୍ୟୁରୋ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍ ପୁରସ୍କୃତ ହୋଇଛି। ଲଗାତାର ତୃତୀୟ ଥର ପାଇଁ ପୁରସ୍କୃତ ହେଲା ଓଡ଼ିଶା। ବେଷ୍ଟ ଥେମାଟିକ୍ କ୍ୟାଟୋଗୋରୀରେ ମିଳିଲା ରୌପ୍ୟ ପଦକ। ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ।
ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି । ଚଳିତ ବର୍ଷକୁ ମିଶାଇ ଓଡ଼ିଶା ଲଗାତାର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ପାଇଛି ।
ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା ।
ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାନ ପାଇଥିଲା । ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ମଣ୍ଡପରେ ୫୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା । ଓଡ଼ିଶାର କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓ ଉତ୍ପାଦ ପ୍ରତି ଦେଶବିଦେଶର ବହୁସଂଖ୍ୟକ ବ୍ୟବସାୟୀ ଆକୄଷ୍ଟ ହୋଇ ସେମାନଙ୍କ ସହିତ ବ୍ୟବସାୟୀକ ବାର୍ତ୍ତାଳାପ କରିଥିଲେ ।