ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଖୁବଶୀଘ୍ର ଅପହଞ୍ଚ ଗ୍ରାମରେ ପହଞ୍ଚିବ ବିଜୁଳି
![](https://www.odishalink.com/wp-content/uploads/2024/09/LIGHT-750x430.jpg)
ଓଏଲ୍ ବ୍ୟୁରୋ: ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମରେ ବିଜୁଳି ପହଞ୍ଚି ସାରିଛି। ତେବେ କେତେକ ପଡ଼ା ଗ୍ରାମରେ ଏଯାବତ୍ ବିଜୁଳି ପହଞ୍ଚିପାରି ନାହିଁ। ଅପହଞ୍ଚ ଗ୍ରାମ ଗୁଡିକରେ କିପରି ବିଜୁଳି ପହଞ୍ଚିବ, ସେନେଇ ଅନୁଧ୍ୟାନ କରି ବିଭାଗ ପଦକ୍ଷେପ ନେବ ବୋଲି ଶକ୍ତି ବିଭାଗର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ଆଜି ପ୍ରଶ୍ନକାଳରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା(ଓରେଡା) ସମ୍ପର୍କିତ ଏକ ତାରକା ପ୍ରଶ୍ନ କରିଥିବା ବେଳେ ଶ୍ରୀ ସିଂଦେଓ ଏହାର ଉତ୍ତର ରଖିଥିଲେ। ମନ୍ତ୍ରୀ କହିଛନ୍ତି, ଗତ ମେ ମାସ ୯ ତାରିଖରେ ଓରେଡ଼ା ସମିତିରୁ ନିଗମରେ ପରିବର୍ତ୍ତିତ ହୋଇଛି। ଓରେଡ଼ାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଖାଲି ପଡ଼ିଥିବା ପଦବୀ ପୂରଣ ପାଈଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।
ସେହିପରି ଦଶପଲ୍ଲାରେ ଗ୍ରିଡ, ସବଷ୍ଟେଶନ ପ୍ରତିଷ୍ଠା ପାଇଁ ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି । ଖୁବଶୀଘ୍ର ଗ୍ରିଡ଼ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଜ୍ୟରେ ମୋଟ ୩୭୮୫ଟି ସୌର ଚାଳିତ ପମ୍ପ ପ୍ରତିଷ୍ଠା ହୋଇଥିବା ନେଇ ଅତିରିକ୍ତ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନରେ ଉପମୁଖ୍ୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।